୧୧୮ ବର୍ଷ ପରେ ଭାରତରେ ଫୁଟିଲା ଦୁର୍ଲଭ ଅର୍କିଡ୍, ଚିହ୍ନଟ ପାଇଁ ଲାଗିଗଲା ୩ ଦିନ

Published By : Prameya-News7 Bureau | July 05, 2020 IST

ଲକ୍ଷ୍ନୌ, ୦୫|୦୭: ଉତ୍ତର ପ୍ରଦେଶର ଦୁଧଓ୍ୱା ଜାତୀୟ ଉଦ୍ୟାନରେ ବିଲୁପ୍ତ ପ୍ରଜାତିର ଏକ ଦୁର୍ଲଭ ଅର୍କିଡ୍ ଗଛ ଦେଖିବାକୁ ମିଳିଛି । ଏଥିରେ ସୁନ୍ଦର ସୁନ୍ଦର ଫୁଲ ମଧ୍ୟ ଫୁଟିଛି । ସାଧାରଣଭାବେ ଏହି ଗ୍ରାଉଣ୍ଡ ଅର୍କିଡ୍‌କୁ ବିଲୁପ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଦୁଧଓ୍ୱା ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏହା କେବେ ହେଲେ ଦେଖିବାକୁ ମିଳିନାହିଁ ।

ପ୍ରାୟ ୧୧୮ ବର୍ଷ ପୂର୍ବରୁ ଇଂଲଣ୍ଡର କେବ୍ ହର୍ବାରିୟମରେ ଏପରି ଅର୍କିଡ୍ ବାବଦରେ ଉଲ୍ଲେଖ କରିଥିଲେ । ଏହି ପ୍ରଜାତି ୧୯୦୨ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ଦୁଧଓ୍ୱାର ନିର୍ଦ୍ଦେଶକ ସଞ୍ଜୟ ପାଠକ କହିଛନ୍ତି ଯେ, ଜୁନ ୩୦ରେ ଜାତୀୟ ଉଦ୍ୟାନର କିସନପୁର ଓ ସୋନାରୀପୁରରେ ସର୍ବେକ୍ଷଣ କରାଯାଉଥିଲା । ସେତେବେଳେ ଏହା ଦେଖିବାକୁ ମିଳିଥିଲା ।

ପ୍ରଥମେ ଏହାକୁ ସେମାନେ ଘାସ ବୋଲି ଭାବିଥିଲେ । କାରଣ ପୂର୍ବରୁ ଏପରି କେବେ ଦେଖିବାକୁ ମିଳିନଥିଲା । ଏହାପରେ ଏହି ଗଛକୁ ଚିହ୍ନଟ କରିବା ପାଇଁ ପରିବେଶବିତ୍ ଓ ବୈଜ୍ଞାନିକଙ୍କ ସାହାଯ୍ୟ ନିଆଯାଇଥିଲା । ଶନିବାର ଏହା ଦୁର୍ଲଭ ପ୍ରଜାତିର ଅର୍କିଡ୍ ବୋଲି ସ୍ପଷ୍ଟ ହେଲା । ଏହାକୁ ଚିହ୍ନଟ କରିବାକୁ ୩ ଦିନ ଲାଗିଯାଇଥିଲା ।

ସଞ୍ଜୟ ଆହୁରି କହିଛନ୍ତି ଯେ, ଅର୍କିଡ୍ ପ୍ରଜାତି ବାବଦରେ ଅନେକ ଦସ୍ତାବିଜ୍ ଭାରତରେ ନାହିଁ । କିନ୍ତୁ କିଛି ରିପୋର୍ଟରେ ଏହା ଉତ୍ତର ଭାରତରେ ଦେଖିବାକୁ ମିଳୁଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.