ନବରଙ୍ଗପୁର ଜିଲ୍ଲାରୁ ବିରଳ ଗରୁଡ ପକ୍ଷୀ ଉଦ୍ଧାର: ଭଗବାନ ବିଷ୍ଣୁଙ୍କ ବାହନ ବୋଲି ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ
17/01/2021 at 5:59 PM

ନବରଙ୍ଗପୁର ୧୭/୦୧ : ନବରଙ୍ଗପୁର ଜିଲ୍ଲାରୁ ବିରଳ ଗରୁଡ ପକ୍ଷୀ ଉଦ୍ଧାର ହୋଇଛି। ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଗାଁର ଅନନ୍ତ ବିଶୋଇଙ୍କ ବାରିରେ ଥିବା ଏକ ସଲଫ ଗଛର କରଡ (ଫାଙ୍କା) ଭିତରୁ ଦୁଇଟି ମୃତ ଓ ତିନୋଟି ଜୀବିତ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର।ମାଝୀଗୁଡା ଗାଁର ଅନନ୍ତ ବିଶୋଇ ତାଙ୍କ ବାରିରେ ଥିବା ଅଧା ଭାଙ୍ଗି ନାଇଁ ପଡିଥିବା ସଲଫ ଗଛକୁ କାଟି ସଫାକରିବାକୁ ଗଛଟିକୁ କଟାଇ ଥିଲେ।

ଗଛଟି ତଳେ ଲେଉଟି ପଡିବା ପରେ ଗଛର କରଡ ମଧ୍ୟରୁ ବିରଳ ଧଳା ରଙ୍ଗର ୫ଟି ଗରୁଡ଼ ପକ୍ଷୀ ତଳେ ଛିଟିକି ପଡିଥିଲା। ଯାହା ଫଳରେ ଦୁଇଟି ପକ୍ଷୀର ମୃତ୍ୟୁ ହୋଇଯାଇଥିବାବେଳେ ୩ ଟି ଜୀବିତ ଅଛନ୍ତି। ହିନ୍ଦୁ ଧର୍ମବଲମ୍ବୀ ମାନେ ଗରୁଡ଼ ପକ୍ଷୀ ଭଗବାନ ବିଷ୍ଣୁଙ୍କ ବାହନ ବୋଲି ବିଶ୍ୱାସ କରନ୍ତି।

ଏଣୁ ଏହି ଧଳା ରଙ୍ଗର ଗରୁଡ଼ ପକ୍ଷୀଗୁଡିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି। ସ୍ଥାନୀୟ ଲୋକ ଘଟଣା ବିଷୟରେ ଜାଣିବା ପରେ ବନ ବିଭାଗକୁ ଫୋନ କରି ଜଣାଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପକ୍ଷୀଗୁଡିକୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି।