ଜୁଲାଇ ୧୪ ତାରିଖରୁ ୨୦ ଦିନ ଯାଏଁ ଭାରତ ଆକାଶରେ ଦେଖାଦେବ ଧୂମକେତୁ : ସୂର୍ଯ୍ୟାସ୍ତ ପରେ ୨୦ ମିନିଟ ଯାଏଁ ପ୍ରତିଦିନ ଦେଖିପାରିବେ
12/07/2020 at 3:19 PM

ନୂଆଦିଲ୍ଲୀ ୧୨/୦୭ : ମହାକାଶ ଦୁନିଆରୁ ଏକ ଖୁସି ଖବର ଆସିଛି | ଜୁଲାଇ ୧୪ ତାରିଖରୁ ଭାରତ ଆକାଶରେ ସି/୨୦୨୦ ଏଫ୩ ନାମକ ଧୂମକେତୁ (Comet) ୨୦ ଦିନ ପର୍ଯ୍ୟନ୍ତ ଦେଖାଦେବ | ଜୁଲାଇ ୧୪ ତାରିଖରୁ ପ୍ରତିଦିନ ଏହି ଧୂମକେତୁକୁ ୨୦ ମିନିଟ ପର୍ଯ୍ୟନ୍ତ ଦେଖାଯାଇପାରିବ | ଏହି ଧୂମକେତୁକୁ NEOWISE ନାଁ ଦିଆଯାଇଛି |
ଓଡିଶା ତାରମଣ୍ଡଳର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ନାସାର ନିୟର ଅର୍ଥ ୱାଇଡ଼ ଫିଲ୍ଡ ଇନଫ୍ରାରେଡ ସର୍ବେ ଏକ୍ସପ୍ଲୋରର (NEOWISE) ଟେଲିସ୍କୋପ ଦ୍ୱାରା ମାର୍ଚ୍ଚ ମାସରେ ଏହି ଧୂମକେତୁକୁ ଖୋଜା ଯାଇଥିଲା | ଏହି ଧୂମକେତୁ ଜୁଲାଇ ୨୨-୨୩ ତାରିଖରେ ପୃଥିବୀର ନିକଟତର ହେବ ବୋଲି ଅନୁମାନ କରାଯାଉଛି | ଆଗାମୀ ସପ୍ତାହ ଆରମ୍ଭରେ ଏହି ଧୂମକେତୁ ଉତ୍ତର-ପଶ୍ଚିମ ଆକାଶରେ ଦେଖାଦେବ |

ଡ.ଶୁଭେନ୍ଦୁ ପଟ୍ଟନାୟକଙ୍କ ଅନୁଯାୟୀ, ଜୁଲାଇ ୧୪ ତାରିଖରୁ NEOWISE ଉତ୍ତର -ପଶ୍ଚିମ ଆକାଶରେ ସ୍ପଷ୍ଟ ଦେଖାଦେବ | ଆଗାମୀ ୨୦ ଦିନ ଯାଏଁ ସୂର୍ଯ୍ୟାସ୍ତ ପରେ ୨୦ ମିନିଟ ଯାଏଁ ପ୍ରତିଦିନ ଦେଖାଦେବ | ଏହାକୁ ଖାଲି ଆଖିରେ ମଧ୍ୟ ଦେଖାଯାଇପାରିବ | ପ୍ରତିଦିନ ସନ୍ଧ୍ୟାରେ ଏହା ଆକାଶର ଉପର ଭାଗକୁ ଆସିବ | ଅଗଷ୍ଟ ମାସରେ ଏହି ଧୂମକେତୁ ଧୀରେ ଧୀରେ ଆଉ ଦେଖାଯିବ ନାହିଁ | ଟେଲିସ୍କୋପ ଓ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହାକୁ ଜୁଲାଇ ମାସରେ ସ୍ପଷ୍ଟ ଦେଖିପାରିବେ | NEOWISE ବର୍ତ୍ତମାନ ପୃଥିବୀରୁ ୨୦ କୋଟି କିମି ଦୂରରେ ମହାକାଶରେ ରହିଛି | ଜୁଲାଇ ୨୨ ତାରିଖରେ ଏହା ପୃଥିବୀର ନିକଟତର ହେବ | ସେତେବେଳେ ପୃଥିବୀ ଠାରୁ ଏହାର ଦୂରତା ୧୦.୩ କୋଟି କିମି ରହିବ |
ଚଳିତ ସପ୍ତାହ ଆରମ୍ଭରେ ନାସାର ମହାକାଶ ଯାତ୍ରୀ ବବ ବେହେନକେନ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ଆଇଏସଏସ ରୁ ଧୂମକେତୁର ଫଟୋ ଉଠାଇ ତାକୁ ଟ୍ୱିଟରେ ସେୟାର କରିଥିଲେ | ଲେବାନନ, ଇସ୍ରାଇଲ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଭଳି ଅନେକ ଦେଶ ଧୂମକେତୁର ପତା ଲଗାଇବାରେ ସଫଳ ହୋଇଛନ୍ତି |