ବୈତରଣୀ ନଦୀ ଗର୍ଭରୁ ମିଳୁଛି ୮ଶହ ଖ୍ରୀଷ୍ଟାବ୍ଦର ବିରଳ ବୁଦ୍ଧ ମୂର୍ତ୍ତି ଓ ବ୍ୟବହୃତ ସାମଗ୍ରୀ

Published By : Prameya-News7 Bureau | November 30, 2021 IST

ଭଦ୍ରକ ୩୦/୧୧ : ଏମିତି ବି ସ୍ଥାନ ଅଛି , ଯେଉଁଠି ଦେଖିବେ ମିଳିବ ଗୌତମ ବୁଦ୍ଧଙ୍କ ସ୍ମୃତି । ଭୌମକର ବଂଶର ରାଜୁତି ସମୟରେ ସେତେବେଳର ରାଜଧାନୀରେ ନିର୍ମାଣ ହୋଇଥିଲା ବୌଦ୍ଧ ବିହାର । ଏବେ ମଧ୍ୟ ସେହି ସ୍ମୃତି, ସମୟର ଗତିରେ ମାଟି ତଳେ ପୋତି ହୋଇ ରହିଛି । ଆଉ ଏବେ ଯେଉଁଠି ଖୋଜିଲେ ମିଳୁଛି ଗୌତମ ବୁଦ୍ଧଙ୍କ ସ୍ମୃତି ସହ ଜଡିତ ଅନେକ ଐତିହାସିକ ସାମଗ୍ରୀ ଓ ମୂର୍ତ୍ତି । ଏମିତି କି ବୈତରଣୀ ନଦୀ ଗର୍ଭରୁ ଏବେ ବି ମିଳୁଛି ସେହି ସମୟର ଗୌତମ ବୁଦ୍ଧଙ୍କର ବହୁ ମୂର୍ତ୍ତି । ଆଉ ଏଠାରେ ରହିଛି ଏମିତି ୩ ଗୋଟି ମୂର୍ତ୍ତି ଓ ଶିଳାଲେଖ ଯାହାକୁ ବିଶ୍ଵରେ ଅନ୍ୟ କେଉଁଠାରେ ଦେଖିବା ପାଇଁ ମିଳେନାହିଁ ବୋଲି ଗବେଷକମାନେ କୁହନ୍ତି ।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ  ବ୍ଲକ ଅନ୍ତର୍ଗତ ପୁଣ୍ୟତୋୟା ବୈତରଣ ନଦୀର ଉତ୍ତର ଦିଗରେ ଅବସ୍ଥିତ ପ୍ରାଚୀନ ଭୌମକର ବଂଶର ରାଜଧାନୀ । ସେହି ରାଜଧାନୀ ହେଉଛି ବୌଦ୍ଧ କୀର୍ତ୍ତି ରାଜି ବିମଣ୍ଡିତ ବିଶ୍ଵ ପ୍ରସିଦ୍ଧ ବୌଦ୍ଧ ପୀଠ ଷୋଳମପୁର ବୌଦ୍ଧବିହାର । ଯାହା ଆଜି ବି ଅବହେଳିତ ,ଅନାଲୋଚିତ ଓ ଅସୁରକ୍ଷିତ । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଏହି ଅଞ୍ଚଳ । ଏହାର ଇତିହାସ ପୃଷ୍ଠାକୁ ଲେଉଟାଇଲେ ଜଣାପଡେ ଷୋଳମପୁର ଦିନେ ଭୌମକର ରାଜବଂଶର ରାଜଧାନୀ ଥିଲା । ଗବେଷକଙ୍କ ମତରେ ଏଠାରେ ୭୯୦ ଖ୍ରୀଷ୍ଟାବ୍ଦରେ ଭୌମକର ସମ୍ରାଟ ଶୁଭକରଦେବ –ପ୍ରଥମ, ବୌଦ୍ଧ ଶିଷ୍ୟ ମାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ବୌଦ୍ଧ ମହାବିହାର ନିର୍ମାଣ କରିଥିଲେ । ୧୧୦୦ ଖ୍ରୀଷ୍ଟାବ୍ଦରେ ସୋମବଂଶୀ  ରାଜା କର୍ଣ୍ଣକେଶରୀ ତାଙ୍କ ରାଣୀ କର୍ପୂଶ୍ରୀଙ୍କ ପାଇଁ ଷୋଳ ମହଲା ବିଶିଷ୍ଟ ରାଣୀ ହଂସପୁର ମଧ୍ୟ ନିର୍ମାଣ କରିଥିଲେ । ଏଠାରେ ପ୍ରସିଦ୍ଧ ରାଜା ନରପତି ଯଯାତି କେଶରୀ, କପିଳେନ୍ଦ୍ର ଦେବ, ମୁକୁନ୍ଦ ଦେବ ମଧ୍ୟ ଗଡ ନିର୍ମାଣ କରିଥିଲେ । ଶିଶୁ ଅନନ୍ତ ଭବିଷ୍ୟତ ମାଳିକା ବର୍ଣ୍ଣିତ ଏହି ପୀଠରେ ବିରଜା ମଣ୍ଡଳର ଗଡ ଚଣ୍ଡୀ ସନ୍ଥେଶ୍ୱରି ପୂଜା ପାଉଛନ୍ତି । ବନପର୍ବ ସମୟରେ ପାଣ୍ଡବ ମାନେ ମଧ୍ୟ ଏଠାରେ ଏକ ସ୍ଥାନରେ ବିଶ୍ରାମ ନେଇଥିଲେ ଯାହା ଏବେ " ପଣ ପଣ୍ଡ ୱା " ପଡିଆ ନାମରେ ରହିଥିବା କିମ୍ବଦନ୍ତୀ ରହିଛି । ଗୁରୁତ୍ବପୂର୍ଣ କଥା ହେଉଛି ଯେ ଏହି ବୌଦ୍ଧ ବିହାରକୁ ଯଦି ଏବେ ଆମେ ଅବଲୋକନ କରିବା  ତେବେ ଗାଁର ସବୁଠାରେ ଅଷ୍ଟମ ଓ ନବମ ଶତାବ୍ଦୀର ବହୁ ଦୁର୍ଲଭ ବୌଦ୍ଧ ଦେବା ଦେବୀଙ୍କମୂର୍ତ୍ତି ଯେପରି ତାରା, ଧ୍ୟାନୀ ବୁଦ୍ଧ, ଜମ୍ବଳ, ଉଗ୍ର ତାରା, ମଞ୍ଜୁଶ୍ର, ଅଷ୍ଟ ମହାଶ୍ଚର୍ଯ୍ୟ ବୁଦ୍ଧ, ବୌଦ୍ଧ ସ୍ତୁପ, ବଜ୍ର ବାରାହୀ ଭଳି ବହୁ ଦୁର୍ଲଭ ମୂର୍ତ୍ତି ରଘୁନାଥ ମନ୍ଦିର ଓ ସନ୍ଥେଶ୍ଵରୀ ଙ୍କ ମନ୍ଦିର ବେଢା ରେ ପୂଜା ପାଉଥିବା ଦେଖିବାକୁ ମିଳିବ ।

ଷୋଳମପୁର ପଞ୍ଚାୟତର ମଣିନାଥପୁର ଗ୍ରାମ ନିକଟ ବୈତରଣୀ ନଦୀ କୂଳରୁ ଅଷ୍ଟମ ନବମ ଶତାବ୍ଦୀର ୮ ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସ୍ଥାନୀୟ ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଷୋଳମପୁର ସ୍ଥିତ ବୌଦ୍ଧ ବିହାର ସଂଗ୍ରହାଳୟକୁ ଏହି ସାମଗ୍ରୀ ଗୁଡିକୁ ସ୍ଥାନାନ୍ତର କରାଯାଇଛି । ମଣିନାଥପୁର ଗ୍ରାମର ସୁଧାଂଶୁ ବେହୁରିଆ ନଦୀ ପଠାକୁ ବୁଲିବାକୁ ଯାଇଥିବା ବେଳେ ଏକ ପଥର ମୂର୍ତ୍ତି ଦେଖିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହ ଖୋଜାଖୋଜି କରିବାରୁ ୮ଟି ବୌଦ୍ଧ ଅର୍ଘ୍ୟ ସ୍ତୁପ ସମେତ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ପୋଡ଼ା ମାଟିରେ ତିଆରି ମାଟି ପାତ୍ର ଉଦ୍ଧାର କରିଥିଲେ । ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ଅଣାଯାଇ ସୁରକ୍ଷିତ ଭାବେ ରଖାଯାଇଥିଲା । ଐତିହାସିକ ପ୍ରତ୍ନତାତ୍ତ୍ଵିକ ଦୃଷ୍ଟି କୋଣରୁ ଉଦ୍ଧାର ହୋଇଥିବା ସମସ୍ତ ସ୍ତୁପ ଓ ପ୍ରାଚୀନ ମାଟି ପାତ୍ର ପ୍ରାୟ ଅଷ୍ଟମ ନବମ ଶତାବ୍ଦୀର ବୋଲି  ଜଣାପଡିଛି। ଉଦ୍ଧାର ହୋଇଥିବା ଏହି ପ୍ରାଚୀନ କୀର୍ତ୍ତିରାଜି  ଗୁଡ଼ିକ ଷୋଳମପୁର ବୌଦ୍ଧ ବିହାରରେ ଭୌମକର ଶାସନ ସମୟର ବୋଲି ଗବେଷକ ମାନେ ଦାବି କରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ବୌଦ୍ଧ ପୀଠରୁ ୨ ଥର ମୂର୍ତ୍ତି ଚୋରି ହୋଇଥିଲେ ସୁଦ୍ଧା ଏଯାଏଁ ତାହାର କିଛି ସନ୍ଧାନ ମିଳି ପାରିନାହିଁ । କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ଏହି ବୌଦ୍ଧ ବିହାର ସନ୍ନିକଟ ବିଭିନ୍ନ ଜାଗାରୁ ୩ ଥର ବୌଦ୍ଧ ଦେବଦେବୀଙ୍କ ମୂର୍ତ୍ତି  ଉଦ୍ଧାର କରାଯାଇଛି । ନିକଟରେ ଏହାର ବିକାଶ ଓ ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତ ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡୀଙ୍କୁ ପତ୍ର ଲେଖିଥିଲେ। ଯାଫଳରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦୁଇଥର ଏହାର ସର୍ବେକ୍ଷଣ ହେବା ସହିତ ଆଗାମୀ ଦିନରେ ଏହାର ବିକାଶ ପଦକ୍ଷେପ ନିଆଯିବ ବୋଲି ଜଣା ଯାଇଛି ।

ଇତିହାସ ଦେଖିଲେ ଏହି ସ୍ଥାନ ସହ ବହୁ କୀର୍ତ୍ତିରାଜି ଯୋଡି ହୋଇ ରହିଛି, ସେହି କାଳର ଐତିହାସିକ ସାମଗ୍ରୀର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି । ହୁଏତ ଏହି ସ୍ଥାନ ଦିନେ ବୌଦ୍ଧ ପ୍ରେମୀଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.