ଆମେରିକା ନିର୍ବାଚନ ଚାଲିଥିବା ବେଳେ ରାପର କିଙ୍ଗ ଭନ୍‌ଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ କଏଦ ହେଲା ଘଟଣା

Published By : Prameya-News7 Bureau | November 07, 2020 IST

ଓ୍ବାସିଂଟନ ୭/୧୧: ଆମେରିକାର ଲୋକପ୍ରିୟ ରାପର କିଙ୍ଗ ଭନ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଆଟଲାଣ୍ଟାର ଏକ ନାଇଟ୍‌ କ୍ଲବ୍‌ ବାହାରେ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଭନ୍‌ଙ୍କୁ ଗୁଳି ମାରିଥିବା ପୋଲିସ କହିଛି। ନିର୍ବାଚନୀ ମାହୋଲ୍‌ରେ ରାପରଙ୍କ ହତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇେଛି।

ତେବେ ପୋଲିସ ଗୁଳିରେ ଭନଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ଆଟ୍‌ଲାଣ୍ଟା ପୋଲିସ ଏହାକୁ ଖଣ୍ଡନ କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘଟଣାସ୍ଥଳରେ ଦୁଇଜଣ ଅଫ ଡ୍ୟୁଟି ଅଧିକାରୀ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୩.୨୦ ସମୟରେ ମୋନାକୁ ହୋକା ଲାଉଞ୍ଜ ବାହାରେ ଦୁଇ ପୁରୁଷ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ସେଠାରେ ଦୁଇ ଅଫ୍‌ ଡ୍ୟୁଟି ପୋଲିସ ଅଫିସର ଉପସ୍ଥିତ ଥିଲେ। ଗୁଳି ଶବ୍ଦ ଶୁଣିବା ପରେ ଜଣେ ଅଫ୍‌ ଡ୍ୟୁଟି ଓ ଜଶେ ଅନ୍‌ ଡ୍ୟୁଟି ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଗଣ୍ଡଗୋଳ ସେତେବେଳକୁ ହିଂସାର ରୂପ ନେଇସାରିଥିଲା। ସେମାନଙ୍କୁ ଅଟକାଇବାକୁ ପୋଲିସ ଗୁଳି କରିଥିଲା

ପରେ ରାପର ଭନ୍‌ଙ୍କ ସମେତ ତିନି ଜଶଙ୍କ ଶରୀରରେ ଗୁଳି ବାଜିଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ପୋଲିସ କି ଭିଡ଼ର ଗୁଳିମାଡ଼ରେ ଭନ୍‌ଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.