ଅଭିଯୁକ୍ତମାନଙ୍କ ନାଁ ହାତରେ ଲେଖି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡିତା

Published By : Prameya-News7 Bureau | October 06, 2019 IST

ମୁଜଫରନଗର ୬।୧୦: ମୁଜଫରନଗରର ଛପାର ଥାନା ଅଞ୍ଚଳର ଏକ ଗାଁରେ ଦୁଷ୍କର୍ମ ପୀଡିତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ପୀଡିତା ତାଙ୍କ ବାମ ହାତରେ ଅଭିଯୁକ୍ତମାନଙ୍କ ନାଁ ଲେଖିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ ଯେ, ମୁଜଫରନଗରର ଛପରା ଥାନା ଅନ୍ତର୍ଗତ ବଢିବାଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୪ବର୍ଷ ତଳେ ଯୁବତୀଙ୍କ ମାମୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଗାଁ ଲୋକ ମିଶି ମାମଲାର ସମାଧାନ କରିଦେଇଥିଲେ । ମାତ୍ର ପୀଡିତା ଯୁବତୀ ଏଥିରେ ସନ୍ତୁଷ୍ଟ ନଥିଲେ । ଯାହା ଫଳରେ ସେ ଅବସାଦଗ୍ରସ୍ତ ରହୁଥିଲେ ।

କେବଳ ଏତିକି ନୁହେଁ ବର୍ଷେ ପୂର୍ବେ ରୋହାନା-ଖାମପୁର ରାସ୍ତା ରାଜଓ୍ବାହେ ନିକଟରେ ସଂପୃକ୍ତ ଯୁବତୀଙ୍କୁ ରିକ୍ସାରୁ ଓହ୍ଲାଇ ସେହି ଗାଁର ୩ ଯୁବକ ଗଣଦୁଷ୍କର୍ମ କରିଥିଲେ । ମୁଜାଫରନଗର କୋତବାଲି ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ବର୍ତ୍ତମାନ ୩ ଅଭିଯୁକ୍ତ ଜାମିନରେ ଅଛନ୍ତି ।

ପୀଡିତାଙ୍କ ମା’ଙ୍କ କହିବା ଅନୁସାରେ ସେ ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ମୃତ ପୀଡିତା ତାଙ୍କ ବାମ ହାତରେ ଅଭିଯୁକ୍ତ ବିରଜୁ ସହ ଅନ୍ୟ ତିନି ଜଣଙ୍କ ନାଁ ଲେଖିଥିବା ଜଣାପଡିଛି । ଘଟଣା ସଂପର୍କରେ ବିଳମ୍ବରେ ପୋଲିସକୁ ଖବର ଦେଇଥିଲେ ପରିବାରଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି । ମୃତ ପୀଡିତାଙ୍କ ବାପା ୪ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ପୋଲିସର ସୂଚନା ଅନୁସାରେ ଛପାର ଥାନା ଅଞ୍ଚଳ ବଢିବାଲା ଗାଁରେ ଜଣେ ୨୧ବର୍ଷ ବୟସ୍କା ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୁଷ୍କର୍ମ ଭଳି କିଛି ଘଟଣା ଘଟିଥିବା ଜଣାପଡିଛି । ମାମଲାର ଯାଞ୍ଚ ଜାରି ରହିଛି । ଯୁବତୀ ଜଣଙ୍କ ତାଙ୍କ ହାତରେ କିଛି ଜଣଙ୍କ ନାଁ ଲେଖିଥିଲେ । ତାର ତଦନ୍ତ ମଧ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.