ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ଧମକ : କେକେଆରଠାରୁ ସିଏସକେ ହାରିବା ପରେ ସୋସିଆଲ ମିଡିଆରେ କ୍ୟାପ୍ଟେନ କୁଲଙ୍କ କୁନି ଝିଅଙ୍କୁ ଏପରି ଧମକ ପରେ କ୍ରିକେଟ୍ ଓ୍ୱାର୍ଲ୍ଡ କ୍ଷୁବ୍ଧ

Published By : Prameya-News7 Bureau | October 09, 2020 IST

ଦୁବାଇ,୦୯|୧୦:  ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଲଗାତର ଭାବେ ପରାଜୟବରଣ କରୁଛି । ଦଳ ଖେଳିଥିବା ୬ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ଲାଭ କରିଛି । ଅଧିନାୟକ ଧୋନୀଙ୍କ ବ୍ୟାଟିଂ ମଧ୍ୟ ନିରାଶ କରିଛି । ଦଳର ଏହି ପ୍ରଦର୍ଶନରେ ଖପ୍ପା ହୋଇଛନ୍ତି ପ୍ରଶଂସକ ।

ଚେନ୍ନାଇର ଏପରି ପ୍ରଦର୍ଶନ ପରେ ଅନେକ ୟୁଜର ସୋସିଆଲ ମିଡିଆରେ ଧୋନୀଙ୍କୁ କଡା ସମାଲୋଚନା କରିଛନ୍ତି । ଏପରିକି ଖରାପ କମେଣ୍ଟ କରିଛନ୍ତି । ତେବେ କିଛି ୟୁଜର ଧୋନୀଙ୍କ ଝିଅ ଜୀବାଙ୍କୁ ଦୁଷ୍କର୍ମ ଧମକ ମଧ୍ୟ ଦେଇଛନ୍ତି । ଏହି ସବୁ କମେଣ୍ଟର ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ପ୍ରସଂଶକ ଧୋନୀଙ୍କ ପରିବାରକୁ ଖେଳ ମଧ୍ୟକୁ ନଟାଣିବା ପାଇଁ ମଧ୍ୟ କହିଛନ୍ତି । ଏପରିକି ଏପରି କମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ବିକୃତ ମାନସିକତା ମଧ୍ୟ କହିଛନ୍ତି । କିଛି କ୍ରିକେଟ୍ ସମୀକ୍ଷକ ଏପରି ଧମକକୁ କଡା ନିନ୍ଦା ମଧ୍ୟ କରିଛନ୍ତି ।

ଏହି ସବୁ ଅଶ୍ଲୀଳ ଓ ଧମକପୂର୍ଣ୍ଣ କମେଣ୍ଟ ଧୋନୀଙ୍କ ଅବସର ନେଇ କରାଯାଇଥିବା ପୋଷ୍ଟରେ କୁହାଯାଇଛି । ଧୋନୀ ଗତ ଅଗଷ୍ଚ ୧୫ରେ ନିଜର ଅବସର ବାବଦରେ ଘୋଷଣା କରିଥିଲେ । ଏହି ପୋଷ୍ଟରେ କିଚି ବ୍ୟକ୍ତି  ୫ ବର୍ଷର ଜୀବାଙ୍କୁ ଦୁଷ୍କର୍ମ କରାଯିବ ବୋଲି ଧମକ ଦେଇଛନ୍ତି ।

ଚଳିତ ଆଇପିଏଲରେ ଧୋନୀଙ୍କ ସମସ୍ତ ପରୀକ୍ଷା ନିରୀକ୍ଷା ଫେଲ୍ ମାରିଛି । କେକେଆର ବିପକ୍ଷ ମୁକାବିଲାରେ ଦଳ ମାତ୍ର ୧୦ ରନରେ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ଧୋନୀ ୩ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ମଧ୍ୟ ବିଫଳ ହୋଇଥିଲେ । ସେ ୫ଟି ଇନିଂସ ଖେଳି ମାତ୍ର ୧୦୨ ରନ୍ କରିଛନ୍ତି । ଏଥିରେ ତାଙ୍କର ସର୍ବାଧିକ ସ୍କୋର୍ ରହିଛି ୪୭ । ଧୋନୀଙ୍କ ସହ ଦଳର ପ୍ରଦର୍ଶନକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.