୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ପିଡୀତାଙ୍କ ବାପାଙ୍କ ସାମ୍ନାରେ ଦୁଷ୍କର୍ମକାରୀକୁ ଦିଆଗଲା ଫାଶୀ, ଅଧଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିଲା ଶବ

Published By : Prameya-News7 Bureau | October 17, 2018 IST

ଲାହୋର ୧୭।୧୦: ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଜଣେ ଅଭିଯୁକ୍ତକୁ ଆଜି ମୃତ ନାବାଳିକାଙ୍କ ପିତାଙ୍କ ଉପସ୍ଥିତିରେ ଫାଶୀ ଦିଆଯାଇଛି । ସର୍ବ ସାଧାରଣରେ ଏହି ରାକ୍ଷସକୁ ଫାଶୀ ଦେବା ଲାଗି ପୀଡିତାଙ୍କ ପିତା କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଥିଲେ । ଲାହୋରର ଲଖପତି ଜେଲ୍ ରେ ଆଜି ସକାଳେ ଦୋଷୀ ସାବ୍ୟସ୍ତ ଇମ୍ରାନ ଅଲ୍ଲୀକୁ ଫାଶୀ ଦିଆଯାଇଛି । ଗତକାଲି ନିଜ ପରିବାର ସହ କଥା ହେବାପାଇଁ ଇମ୍ରାନକୁ ୪୫ମିନିଟ୍ ସମୟ ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ୯ଜଣଙ୍କୁ ଦୁଷ୍କର୍ମ କରିବା ସହ ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଇମ୍ରାନ ଅଲ୍ଲୀକୁ ଗତ ଜାନୁଆରୀ ମାସରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ପୋଲିସ ଗିରଫ କରିଥିଲା । ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ପାକିସ୍ତାନରେ ଉଦବେଗ ପ୍ରକାଶ ପାଇଥିଲା । ଫଳରେ ଦୀର୍ଘ ଦିନ ହେଲା ଫେରାର ଥିବା ଇମ୍ରାନକୁ ତିନି ଦିନ ମଧ୍ୟରେ ଗିରଫ କରିବା ପାଇଁ ପାକିସ୍ତାନର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପାକିସ୍ତାନର ଆଣ୍ଟି ଟେରୋରିଷ୍ଟ କୋର୍ଟ (ଏଟିସି) ଏହି ମାମଲାର ଶୁଣାଣି କରିଥିଲେ । ଅଦାଲତରେ ଇମ୍ରାନ ହତ୍ୟା ଓ ଦୁଷ୍କର୍ମ କରିଥିବା ସ୍ବୀକାର କରିଥିଲା । ଭିନ୍ନ ଭିନ୍ନ ମାମଲାରେ ଅଦାଲତ ଇମ୍ରାନକୁ ୨୧ଥର ମୃତ୍ୟୁ, ତିନିଥର ଆଜୀବନ କାରାଦଣ୍ଡ ଓ ୨୩ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିଲେ । ଗତ ଜାନୁଆରୀ ମାସ ୯ତାରିଖରେ ମୃତ ନାବାଳିକା ନିଜର ସଂପର୍କୀୟଙ୍କ ଘରକୁ ଯାଇଥିବାବେଳେ ଇମ୍ରାନ ହାବୁଡରେ ପଡିଥିଲା । ଇମ୍ରାନ ନାବାଳିକା ସହ ଦୁଷ୍କର୍ମ କରିବା ପରେ ଗଳା ଦବାଇ ହତ୍ୟା କରିଥିଲା । ନାବାଳିକାଙ୍କ ଶବ ଏକ ଡମ୍ପିଂ ୟାର୍ଡରୁ ପୋଲିସ ଉଦ୍ଧାର କରିଥିଲା । ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ହତ୍ୟା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ହୋଇଛି । ଆଜି ଇମ୍ରାନକୁ ଫାଶୀ ଦେବାବେଳେ ମୃତ ପୀଡିତାଙ୍କ ପିତା ଓ ତାଙ୍କ ସଂପର୍କୀୟମାନେ ଉପସ୍ଥିତ ଥିଲେ । ଫାଶୀ ପରେ ମୃତ ନାବାଳିକାଙ୍କ ପିତା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଦୁଷ୍କର୍ମକାରୀର ମୃତ୍ୟୁ ନିଜ ଆଖିରେ ଦେଖି ସେ ଆତ୍ମସନ୍ତୋଷ ଲାଭ କରିଛନ୍ତି । ଫାଶୀ ଦେଲା ପରେ ଦୁଷ୍କର୍ମକାରୀର ଶବ ଅଧଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିଥିଲା । ତାହା ତାଙ୍କୁ ବେଶ୍ ସନ୍ତୋଷ ପ୍ରଦାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.