ବିଜେପି ନେତାଙ୍କ ନାଁରେ ମାମଲା ରୁଜୁ : ମହିଳାଙ୍କ କଫିରେ ନିଶା ମିଶାଇ କରିଥିଲେ ଦୁଷ୍କର୍ମ

Published By : Prameya-News7 Bureau | February 04, 2020 IST

ତେଲେଙ୍ଗାନାର ଏକ ସ୍ଥାନୀୟ ବିଜେପି ନେତା ଏବଂ ପେଶାରେ ଓକିଲଙ୍କ ବିରୋଧରେ ପୋଲିସ୍ ଦୁଷ୍କର୍ମ ମାମଲା ରୁଜୁ କରିଛି। ୪୭ବର୍ଷ ବୟସ୍କା ମହିଳା ଏହି ନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ତେଲେଙ୍ଗାନାରେ ୨୦୦୭ମସିହାରେ ବିଜେପି ନେତା ତାଙ୍କୁ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ନେତା ଏବଂ ଓକିଲଙ୍କ ନାଁ ରଘୁନନ୍ଦନ ରାଓ। ପୋଲିସ୍ ସୋମବାର ଏହି ସୂଚନା ଦେଇଛି। ପୋଲିସ୍ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି। ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି ଯେ ୨୦୦୭ମସିହାରେ ଓକିଲ ତାଙ୍କୁ ଅଫିସକୁ ଡାକି ନିଶାଦ୍ରବ୍ୟ ମିଶିଥିବା କଫି ପିଇବାକୁ କହିଥିଲେ ଯାହା ପରେ ସେ ବେହୋସ୍ ହୋଇ ଯାଇଥିଲେ। ମହିଳା ବେହୋସ୍ ହୋଇଯାଇଥିବାବେଳେ ଅଭିଯୁକ୍ତ ନେତା ତାଙ୍କୁ ଦୁଷ୍କର୍ମ କରିଥିଲେ।

ମହିଳା କହିଥିଲେ ଯେ ସେ ଅଭିଯୁକ୍ତ ରଘୁନନ୍ଦନ ରାଓଙ୍କୁ ୨୦୦୩ମସିହାରୁ ଜାଣନ୍ତି। ୨୦୦୩ମସିହାରେ ରଘୁନନ୍ଦନ ରାଓଙ୍କ ନିକଟକୁ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରତାରଣା ମାମଲା ରୁଜୁ କରିବା ପାଇଁ ଆଇନର ସାହାଯ୍ୟ ଲୋଡ଼ିବାକୁ ଯାଇଥିଲେ।

ରଘୁନନ୍ଦନ ରାଓ ମହିଳାଙ୍କୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଏକଥା କୁହନ୍ତି ତେବେ ସେ ସୋସିଆଲ ମିଡିଆରେ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପୋଷ୍ଟ କରିଦେ​‌ବେ। ଅଭିଯୋଗ ଆଧାରରେ ଓକିଲଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ ଦୁଷ୍କର୍ମ,ଧମକ ଦେବା,ବ୍ଲାକମେଲ୍ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

୨୦୧୯ମସିହା ଲୋକସଭା ନିର୍ବାଚନରେ ରଘୁନନ୍ଦନ ରାଓ ବିଜେପି ଟିକେଟରେ ମେଡକ ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୁଷ୍କର୍ମ ଅଭିଯୋଗରେ ରଘୁନନ୍ଦନ ରାଓ କହିଥିଲେ ଯେ ଏସବୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.