ହାଥରାସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ: ଯୋଗୀ ସରକାର ବିରୋଧରେ ଗର୍ଜିଲେ ବିରୋଧୀ, ତୁରନ୍ତ ଆକ୍ସନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Published By : Prameya-News7 Bureau | September 30, 2020 IST

ଲକ୍ଷ୍ନୌ୩୦/୯: ଉତ୍ତରପ୍ରଦେଶ ହାଥରାସ୍ ଯୁବତୀଙ୍କୁ ଗ୍ୟାଙ୍ଗ ରେପ୍‌ ଓ ହତ୍ୟା ମାମଲାରେ ଦେଶ ବ୍ୟାପୀ ବଢିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା କାଣ୍ଡ ସହ ତୁଳନା କରାଯାଉଥିବା ବେଳେ ଦିଲ୍ଲୀରୁ ୟୁପି, କୋଲକାତାରୁ କେରଳ ସବୁଠି ଅସନ୍ତୋଷର ନିଆଁ ଜଳିଲାଣି । ବଢୁଥିବା ଅଶାନ୍ତିକୁ ନେଇ ୟୁପି ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିଛନ୍ତି । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଟିମ୍‌କୁ କୁହାଯାଇଛି। ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅତି ତରବରିଆ ଭାବେ ପରିବାର ଲୋକଙ୍କୁ ମୃତଦେହ ନ ଦେଖାଇ କିମ୍ବା ସେମାନଙ୍କ ଅନୁମତି ନ ନେଇ ରାତି ଅଧରେ ପୋଡିଦେବାକୁ ନେଇ ଉଠିଛି ବିବାଦ ।

{"id":336740,"sizeSlug":"large"}

ଦିଲ୍ଲୀରୁ ୟୁପି, କୋଲକାତାରୁ କେରଳ । ହାଥରାସ୍‌ ଗ୍ୟାଙ୍ଗରେପ୍‌ କେସ୍‌କୁ ନେଇ ଦେଶରେ ଜଳିଲାଣି ଅସନ୍ତୋଷର ବହ୍ନି । ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଉଠିଛି ଦାବି । ହାଥରାସ୍‌ ଘଟଣାକୁ ନେଇ କଂଗ୍ରେସକର୍ମୀଙ୍କ ଆନ୍ଦୋଳନ। ହାଥରାସ୍‌ ଜିଲ୍ଲାରେ ୧୯ ବର୍ଷୀୟ ଗରିବ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢିବାରେ ଲାଗିଛି ଅସନ୍ତୋଷ । ଆଉ ଏହି ଅସନ୍ତୋଷ ଏବେ ୟୁପି ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି ।

{"id":336741,"sizeSlug":"large"}

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ଏସ୍‌ଆଇଟି ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ ଦେବ । ଘଟଣାର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟ ନାଥଙ୍କ ସହ କଥା ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସେପଟେ ୟୁପିରେ ଗୁଣ୍ଡାରାଜ ବଢି ଯାଇଛି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ରସାତଳକୁ ଗଲାଣି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ୟୁପି ପୋଲିସ କିଭଳି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଅତି ତରବରିଆ ଭାବେ ପୀଡିତାଙ୍କ ମୃତଦେହ ପୋଡିବାକୁ ନେଉଛି । ଏପରିକି ପରିବାର ଓ ଗାଁ ଲୋକେ ମୃତଦେହ ଦେଖିବାକୁ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେମାନଙ୍କୁ ବଳପୂର୍ବକ ଏଥିରୁ ବାରଣ କରାଯାଉଛି । ଆଉ ମୃତଦେହକୁ ଅତି ତରବରିଆ ଭାବେ ପୋଲିସ ଉପସ୍ଥି୍ତିରେ ପୋଡି ଦିଆଯାଉଛି । ଯାହାକୁ ନେଇ ଏବେ ବିବାଦ ଛିଡା ହେଲାଣି । କାହା ନିର୍ଦ୍ଦେଶରେ ପରିବାର ଲୋକଙ୍କ ବିନା ଅନୁମତିରେ ପୀଡିତାଙ୍କ ମୃତଦେହକୁ ଅତି ତରବରିଆ ଭାବେ ପୋଡିଦିଆ ଗଲା ତାକୁ ନେଇ ଉଠିଲାଣି ପ୍ରଶ୍ନବାଚୀ ।ସେପଟେ ପୋଲିସର ସଫେଇ ମୃତଦେହ ନଷ୍ଟ ହେବାକୁ ବସିବାରୁ ତାଙ୍କୁ ଅନ୍ତିମ ସଂସ୍କାର କରିଦିଆଗଲା ।

ପ୍ରୀତି ଜିଣ୍ଟା, କଙ୍ଗନା ରଣାୱତ୍‌ ଙ୍କ ଭଳି ସେଲିବ୍ରିଟି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଟ୍ବିଟ୍‌କରି ଅପିଲ୍‌ କରିଛନ୍ତି । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍‌ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ଚିଠି ଲେଖି ପୀଡିତାଙ୍କ ପରିବାରକୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଗୁହାରି କରିଛନ୍ତି । ସେହିଭଳି ପ୍ରିୟଙ୍କା ଗାନ୍ଧୀ, ମାୟାବତୀଙ୍କ ଭଲି ଅନେକ ରାଜନେତା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ଉଠାଇଛନ୍ତି । ଏହି ଘଟଣାରେ ଏବେ ସୁଦ୍ଧା  ୪ ଜଣଙ୍କୁ ଗିରଫ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.