ଏୟାର ଓଡିଶାର ନିର୍ଦେଶକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୂର୍ବତନ ମହିଳା ସହକର୍ମୀ

Published By : Prameya-News7 Bureau | September 19, 2018 IST

ଭୁବନେଶ୍ୱର ୧୯/୯ : ଏୟାର ଓଡିଶାର ନିର୍ଦେଶକ ସନ୍ତୋଷ ପାଣିଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା ସହକର୍ମୀ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ | ଖଣ୍ଡଗିରି ଥାନାରେ ଆଜି ଏନେଇ ଏକ ମାମଲା ବିଧିବଦ୍ଧ ଭାବରେ ରୁଜ୍ଜୁ ହୋଇଛି | ମହିଳାଙ୍କ ବୟାନ ଧାରା ୧୬୧ ଅନୁସାରେ ରେକର୍ଡ କରାଯାଇଛି | ଅପରପକ୍ଷରେ ସନ୍ତୋଷ ପାଣି କହିଛନ୍ତି ଏହା ସମ୍ପୂର୍ଣ ଅମୂଳକ ଅଭିଯୋଗ | ସମ୍ପୃକ୍ତ ମହିଳା ଏୟାର ଓଡିଶାରେ ସୁରକ୍ଷା କର୍ମୀ ସଂଯୋଜିକା ଭାବେ କାମ କରୁଥିଲେ | ଗତ ମାସରେ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା | ଅଭିଯୋଗ କରିବା ପରେ ମହିଳା ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୧୮ ମସିହା ଜୁଲାଇ ୨ ତାରିଖରେ ସେ ଏୟାର ଓଡିଶାରେ ସ୍ୱେକ୍ୟୁରିଟି ସୁପରଭିଜର ଭାବେ ଯୋଗ ଦେଇଥିଲେ | ଅଗଷ୍ଟ ୧୦ ତାରିଖରେ ସନ୍ତୋଷ ପାଣି ତାଙ୍କୁ ଘରେ ଛାଡ଼ିଦେବେ ବୋଲି କହି ନିଜ ଗାଡିରେ ନେଇଯାଇଥିଲେ | ରାସ୍ତାରେ ଏକ ମଦ ଦୋକାନରୁ ମଦ କିଣି ଆଣି ଗାଡିରେ ପିଇଥିଲେ ଏବଂ ତାଙ୍କୁ କଲଡ ଡ୍ରିଂକ୍ସ ପିଇବା ପାଇଁ ଦେଇଥିଲେ | ଏହି କଲଡ ଡ୍ରିଂକ୍ସରେ କିଛି ନିଶା ଦ୍ରବ୍ୟ ମିଶିଥିଲା | ଯାହା ଫଳରେ ସେ ସନ୍ତୋଷଙ୍କୁ ପ୍ରତିବାଦ କରିପାରିନଥିଲେ | ଗାଡି ଭିତରେ ସନ୍ତୋଷ ତାଙ୍କ ସହ ବଦମାସୀ କରିଥିଲେ | ଘରେ ପହଂଚିବା ପରେ ଜବରଦସ୍ତ ଘର ଭିତରକୁ ପଶି ଆସି ଦୁଷ୍କର୍ମ କରିଥିଲେ | ତା' ପରଦିନ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବାରୁ ଅଫିସ ଯାଇଥିଲେ ମଧ୍ୟ ଅଫିସରେ କମ ସମୟ ରହି ଘରକୁ ଫେରି ଆସିଥିଲେ | ପରଦିନ ଅର୍ଥାତ ଅଗଷ୍ଟ ୧୨ ତାରିଖରେ ସନ୍ତୋଷ ପାଣି ପୁଣି ତାଙ୍କୁ ଗାଡିରେ ଘରେ ଛାଡିବା ପାଇଁ ନେଇଥିଲେ | ରାସ୍ତାରେ ସନ୍ତୋଷ ଜାଲି ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ପୁଣି ମଦ କିଣିକି ଆଣିଥିଲେ | ଘରେ ପହଂଚିବା ପରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଦୁଷ୍କର୍ମ କରିଥିଲେ | ତା' ପରେ ସେ ଚାକିରୀ ଛାଡ଼ିଦେଇ ଏୟାର ଡେକାନରେ କାମ କରୁଛନ୍ତି | ଏୟାର ଡେକାନର ଜଣେ ସହକର୍ମୀଙ୍କୁ ଏହି ସମସ୍ତ କଥା ଜଣାଇଥିଲେ | ତାଙ୍କ ଠାରୁ ଭରସା ପାଇ ଏବେ ସେ ନ୍ୟାୟ ଲାଗି ପୋଲିସର ଆଶ୍ରୟ ନେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.