ବଡ ପରଦାରେ ଧୁମ୍ ମଚେଇବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍: ଦାଦାଙ୍କ ଚରିତ୍ରରେ ନଜର ଆସିବେ ରଣବୀର କପୁର

Published By : Prameya-News7 Bureau | July 13, 2021 IST

ମୁମ୍ବାଇ ୧୩/୦୭ : ବଲିଉଡରେ ବାୟୋପିକ ଫିଲ୍ମର ଚଳନ ରହିଛି। ଯଦି ଫିଲ୍ମ କୌଣସି କ୍ରୀଡ଼ାବିତ କିମ୍ବା କ୍ରିକେଟରଙ୍କ ଉପରେ ନିର୍ମାଣ ହୋଇଥାଏ ତାହେଲେ ଦର୍ଶକ ଖୁବ ପସନ୍ଦ କରିଥାନ୍ତି। ଟିମ ଇଣ୍ଡିଆ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଓ ସଚିନ ତେନ୍ଦୁଲକରଙ୍କ ଜୀବନି ଉପରେ ନିର୍ମାଣ ହୋଇଥିବା ଫିଲ୍ମ ସୁପରହିଟ ହୋଇଥିଲା। ତାଛଡା ମହମ୍ମଦ ଆଜାହରୁଦ୍ଦିନ, ମିଲଖା ସିଂହ, ମେରୀ କମଙ୍କ ଭଳି ଖେଳାଳିଙ୍କ ବାୟୋପିକ ମଧ୍ୟ ହୋଇଛି। ଆଗାମୀ ଦିନରେ ଏମିତି ଆଉ କିଛି କ୍ରିକେଟରଙ୍କ ଜୀବନି ଉପରେ ନିର୍ମିତ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏଥିରେ କପିଳ ଦେବ, ମିତାଲି ରାଜଙ୍କ ନାଁ ସାମିଲ ଅଛି। ଟିମ ଇଣ୍ଡିଆର ସବୁଠାରୁ ସଫଳ କ୍ୟାପଟେନଙ୍କ ମଧ୍ୟରେ ଜଣେ ସୌରଭ ଗାଙ୍ଗୁଲିଙ୍କ ଜୀବନି ଉପରେ ନିର୍ମାଣ ହେବାକୁଥିବା ବାୟୋପିକକୁ ଗ୍ରୀନ ସିଗ୍ନାଲ ମିଳିସାରିଛି।

ସୂଚନା ଅନୁଯାୟୀ, ସୌରଭ ଗାଙ୍ଗୁଲି ନିଜେ ନିଜ ବାୟୋପିକ ପାଇଁ ଗ୍ରୀନ ସିଗ୍ନାଲ ଦେଖାଇଛନ୍ତି। ଏହି ଫିଲ୍ମ Viacom ବ୍ୟାନରରେ ନିର୍ମାଣ ହେବ। ତେବେ ଫିଲ୍ମରେ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଖବର ଅନୁଯାୟୀ ଫିଲ୍ମରେ ରଣବୀର କପୁର ଗାଙ୍ଗୁଲିଙ୍କ ଚରିତ୍ରରେ ନଜର ଆସିପାରନ୍ତି। ଏକ ସାକ୍ଷାତକାରରେ ଦାଦା କହିଥିଲେ ଯେ ହ୍ରିତିକ ରୋଶନ ତାଙ୍କର ପ୍ରିୟ କଳାକାର। ସେଥିପାଇଁ ଗାଙ୍ଗୁଲିଙ୍କ ଚରିତ୍ରରେ ହ୍ରିତିକ ରୋଶନ ମଧ୍ୟ ଅଭିନୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଯେ, 'ମୁଁ ମୋ ବାୟୋପିକ ପାଇଁ ରାଜି ହୋଇଛି। ଫିଲ୍ମ ହିନ୍ଦୀ ଭାଷାରେ ନିର୍ମାଣ ହେବ। କିନ୍ତୁ ବର୍ତ୍ତମାନ ନିର୍ଦ୍ଦେଶକଙ୍କ ନାଁ କହିବା ସମ୍ଭବ ନୁହେଁ। ସବୁକିଛି ବ୍ୟବସ୍ଥିତ କରିବାକୁ ଟିକିଏ ସମୟ ଲାଗିବ।'

ସୂତ୍ରରୁ ଜଣାପଡିଛି ଯେ, ଫିଲ୍ମର କାହାଣୀ ଲେଖାଚାଲିଛି। ଗାଙ୍ଗୁଲିଙ୍କ ସହ ପ୍ରଡକ୍ସନ ହାଉସର ଅନେକ ବୈଠକ ହୋଇସାରିଛି। ସୂତ୍ର ଅନୁଯାୟୀ ଅଭିନେତାଙ୍କ ନାଁ ମଧ୍ୟ ପାଖାପାଖି ଫାଇନାଲ ହୋଇଯାଇଛି। ଗାଙ୍ଗୁଲିଙ୍କ ଚରିତ୍ର ପାଇଁ ରଣବୀର କପୁର 'ହଟ ଚଏସ'। ଦାଦା ନିଜେ ରଣବୀରଙ୍କ ନାଁ ନେଇଛନ୍ତି। ତେବେ ତାଲିକାରେ ଆଉ ଦୁଇ କଳାକାର ମଧ୍ୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.