ରିଲ୍ ରେ ରିୟଲ ଲଭର୍ସ: ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂ ସେଟରୁ ଫଟୋ ସେୟାର କଲେ ରଣବୀର- ଆଲିଆ
5/03/2021 at 10:03 AM

ମୁମ୍ବାଇ ୦୫/୦୩: ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକାଠି ନଜର ଆସିବେ । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନୀ ରାୟଙ୍କ ଭଳି ଷ୍ଟାରମାନେ ମଧ୍ୟ ନଜର ଆସିବେ । ଗତ ତିନିରୁ ଚାରି ବର୍ଷ ଧରି ନିର୍ମିତ କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ଡେଟ୍ ଫାଇନାଲ୍ କରିବାକୁ କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଆଲିଆ ଭଟ୍ଟ ବ୍ରହ୍ମାସ୍ତ୍ର ଫିଲ୍ମର କିଛି ଫଟୋ ସେୟାର କରିଛନ୍ତି ।

ଆଲିଆ ଭଟ୍ଟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ରଣବୀର କପୁର ଏବଂ ଆୟାନ ମୁଖାର୍ଜୀ ଆଲିଆ ଭଟ୍ଟଙ୍କ ସହ ନଜର ଆସିଛନ୍ତି । ତାଙ୍କ ପଛରେ ଦେବୀଙ୍କ ମନ୍ଦିର ଦେଖାଯାଉଛି । ଫଟୋ ସେୟାର କରି ଆଲିଆ ଭଟ୍ଟ ଲେଖିଛନ୍ତି, ‘ଏହି ଯାତ୍ରାରେ ରହିବା ଏକ ଆଶୀର୍ବାଦ ସଦୃଶ ଏବଂ ଏହି ଦୁଇ ଯାଦୁକରୀ ପୁଅ ସବୁକିଛି ପ୍ରସ୍ତୁତ କରି ଦେଇଥାନ୍ତି । ଏହା କେବଳ ଆରମ୍ଭ ମାତ୍ର । ‘

ପ୍ରଥମ ଥର ରଣବୀର ଏବଂ ଆଲିଆଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ । କୁହାଯାଏ ଫିଲ୍ମ ସମୟରେ ସେମାନେ ପରସ୍ପରର ଅତି ନିକଟତର ହୋଇଥିଲେ ଏବଂ ବର୍ତ୍ତମାନ ଦୁହିଁଙ୍କ ସମ୍ପର୍କ କାହାଠାରୁ ଲୁଚି ରହିନାହିଁ । ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବା ପରେ ସେମାନେ ବିବାହ କରିବାର ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି । ଏହି ଫିଲ୍ମରେ ଡିମ୍ପଲ୍ କପାଡିଆ ଏବଂ ନାଗାର୍ଜୁନା ଅକ୍କିନେନି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ ଏବଂ କରଣ ଜୋହର । ଏହି ଫିଲ୍ମଟି ବିଜ୍ଞାନ ଉପରେ ଆଧାରିତ ଏକ ଫିକ୍ସନ୍ ଫିଲ୍ମ ।