ରାଣୀ ମିଶ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍ : ଅଭିଯୁକ୍ତ ସ୍ବାମୀ ରଞ୍ଜନ ରାଉତ ଗିରଫ, ସ୍ତ୍ରୀର ନିର୍ଯାତନା ସହିନପାରି କରିଥିଲେ ହତ୍ୟା
14/07/2019 at 10:52 AM

କେନ୍ଦ୍ରାପଡା ୧୪|୭: ସ୍ତ୍ରୀର ନିର୍ଯାତନା ସହିନପାରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାଠୁଆଗଣ୍ଡ ଲୁଣା ଘେରି ନିକଟରେ ଅଖା ଭିତରୁ ରାଣୀ ମିଶ୍ର ନାମକ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତାଙ୍କ ସ୍ବାମୀ ରଞ୍ଜନ ରାଉତଙ୍କୁ ଗିରଫ କରିଛି । ଏହି ଘଟଣାରେ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ମାସ ୨୮ ତାରିଖରେ ଦିନ ଅଖା ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା । ପୋଲିସ ଛାନ୍ ଭିନ୍ କରିବା ପରେ ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋରୁଅ ଗାଁର ମାଗୁ ପଲାଇଙ୍କ ଝିଅ ଟୁବିଆ ଓରଫ ରାଣୀ ମିଶ୍ର ବୋଲି ଜଣାପଡିଥିଲା ।

ଦୀର୍ଘ ୧୬ ଦିନ ହେବ ଏ ନେଇ ରାଜନଗର ପୋଲିସ ଛାନ୍ ଭିନ୍ ପରେ ରାଣୀ ବାଉଁଶକଣି ଗାଁର ଉଦ୍ଧବ ଚରଣ ରାଉତଙ୍କ ମଝିଆ ପୁଅ ରଞ୍ଜନକୁ ଦ୍ବିତୀୟ ବିବାହ କରିଥିଲା ବୋଲି ଜାଣିପାରିଲା । ରଞ୍ଜନ ଭୁବେନଶ୍ବରରେ ଏକ ମଦ ଦୋକାନରେ କାମ କରୁଥିବା ବେଳେ ରାଣୀ ତାଙ୍କ ସହ ସେଠାରେ ରହୁଥିଲେ । ଗତ ମାସ ୨୬ ତାରିଖରେ ରାଣୀ ତାଙ୍କ ସହ ଗାଁକୁ ଯାଇଥିଲେ ଏବଂ ତା ପରଠାରୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା । ୨୮ ତାରିଖ ଦିନ ତାଙ୍କର ମୃତଦେହ ଅଖା ଭିତରୁ ମିଳିଥିଲା ।

ଏହା ପରେ ରଞ୍ଜନ ତା ପରିବାର ସହ ଫେରାର ଅଛି ବୋଲି ପୋଲିସ ଖବର ପାଇଥିଲା । ପୋଲିସ ଏହାପରେ ରଞ୍ଜନକୁ ସନ୍ଦେହ ଘେରରେ ନେଇଥିଲା ଏବଂ ଗତକାଲି ପୋଲିସ ତାକୁ ଗିରଫ କରିଥିଲା । ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳକୁ ରଞ୍ଜନକୁ ନେବା ପରେ ସେ କିଭଳି ରାଣୀଙ୍କୁ ହତ୍ୟା କଲା ତାର ଡେମୋ କରିଦେଖାଇଥିବା ଜଣାପଡିଛି ।