୪୯୨ ବର୍ଷ ପରେ ରୁପା ସିଂହାସନରେ ବିରାଜିଲେ ରାମଲଲା, ଜନ୍ମଭୂମୀ ତମ୍ବୁରେ କରାଗଲା ଶେଷ ଆରତୀ

Published By : Prameya-News7 Bureau | March 25, 2020 IST

ଅଯୋଧ୍ୟା ୨୫।୩: ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ଶ୍ରୀ ରାମଲଲାଙ୍କୁ ତାଙ୍କ ଭାଇମାନଙ୍କ ଏବଂ ଭକ୍ତ ହନୁମାନଙ୍କ ସହ ବୁଧବାର ଭୋର ପ୍ରା ୩ଟା ବେଳେ ନୂଆ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଛି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ସ୍ଥିତ ମାନସ ଭବନରେ ଉପସ୍ଥିତ ଥିଲେ । ସେ ମନ୍ଦିର ନିର୍ମାଣ ପାଇଁ ୧୧ଲକ୍ଷ ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି ।

{"id":243714,"sizeSlug":"large"}

ଏହା ପୂର୍ବରୁ ମଙ୍ଗଳବାର ଦିନ ମୁଖ୍ୟ ପୂଜାରୀ ସତ୍ୟନ୍ଦ୍ର ଦାସ ଭଗବାନଙ୍କ ନିକଟରେ ନୂଆ ସ୍ଥାନରେ ବିରାଜମାନ କରିବାକୁ ପ୍ରାର୍ଥନା କରିଥିଲେ । ବର୍ଷ ବର୍ଷ ଧରି ଚାଲିଆସୁଥିବା ପରମ୍ପରାକୁ ପୂରା କରିବା ସହ ଅସ୍ଥାୟୀ ମନ୍ଦିରର ବାସ୍ତୁ ପୂଜନ କରିଥିଲେ । ରାତି ୨ଟାରୁ ଭୋର ୩ଟା ପର୍ଯ୍ୟନ୍ତ ଟେଣ୍ଟରେ ଥିବା ଗର୍ଭଗୃହରେ ଶ୍ରୀରାମଲଲାଙ୍କର ଶେଷ ଥର ପାଇଁ ଆରତୀ, ଭୋଗ ଏବଂ ଶୃଙ୍ଗାର କରାଯାଇଥିଲା । ୧୫୨୮ ପରେ ପ୍ରଥମ ଥର ଶ୍ରୀରାମଲଲା ଚାନ୍ଦି ସିଂହାସନରେ ବିରାଜମାନ ହୋଇଥିଲେ ।

ଶ୍ରୀରାମଲଲାଙ୍କୁ ତାଙ୍କ ଭାଇ ଏବଂ ଭକ୍ତ ହନୁମାନଜୀଙ୍କ ସମେତ ଅଲଗା ଅଲଗା ପାଲିଙ୍କିରେ ବସାଇ ନିଆଯାଇଥିଲା । ପ୍ରସ୍ଥାନଠାରୁ ନେଇ ପ୍ରତିସ୍ଥାପିତ ହେବା ପର୍ଯ୍ୟନ୍ତ ସ୍ବସ୍ତି ବାଚନ ହୋଇଥିଲା । ଏହି ସମୟରେ ପ୍ରଥମେ ତାଙ୍କର ଶୃଙ୍ଗାର କରାଯାଇଥିଲା । ଏହାପରେ ଅଭିଷେକ ଏବଂ ଆରତୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସକାଳ ୭ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଶ୍ରୀରାମଲଲାଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶେଷ ଆରତୀ କରିଥିଲେ ।

ପୂଜାରୀ ସତ୍ୟନ୍ଦ୍ର ଦାସ କହିଛନ୍ତି ଯେ, ଚୈତ୍ର ନବରାତ୍ରୀର ପ୍ରତିପଦାରୁ ଶ୍ରୀରାମଲଲାଙ୍କ ବିରାଜମାନ ହେବା ଦ୍ବାରା ଦେଶରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ଆସିବ । ଏହି ସମୟରେ ଟ୍ରଷ୍ଟ ସଦସ୍ୟ ବିମଳେନ୍ଦ୍ର ମୋହନ ମିଶ୍ର କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ତିଥି ନିର୍ଦ୍ଧାରଣ କରିବା ପାଇଁ ୪ ଅପ୍ରେଲକୁ ଅଯୋଦ୍ଧାରେ ପ୍ରସ୍ତାବିତ ବୈଠକର ଆୟୋଜନ କାର୍ଯ୍ୟକ୍ରମ ରହିଛି । ଭୂମି ପୂଜନ ପାଇଁ ଟ୍ରଷ୍ଟ ନିକଟରେ କେତେକ ଶୁଭ ମୁହୂର୍ତ୍ତର ତିଥି ରହିଛି । ଯେଉଁଥିରେ ଗୋଟିଏ ତିଥି ୩୦ ଏପ୍ରିଲ ମଧ୍ୟ ରହିଛି । ମାତ୍ର କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଆମର ପ୍ରଥମ କର୍ତ୍ତବ୍ୟ ଅଟେ ।

ଅଯୋଧ୍ୟାରେ ବିରାଜମାନ ରାମଲଲାଙ୍କ ଆକାଉଣ୍ଟରେ ୨.୮୧ କୋଟି ଟଙ୍କା ନଗଦ ଏବଂ ୮.୭୫ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ଜମା ହୋଇଛି । ଏହା ବ୍ୟତୀତ ୨୩୦ ଗ୍ରାମ ସୁନା, ୫୦୧୯ ଗ୍ରାମ ଚାନ୍ଦି ଏବଂ ୧୫୩୧ ଗ୍ରାମ ଅନ୍ୟ ଧାତୁ ରହିଛି । ନୂଆ ଅସ୍ଥାୟୀ ମନ୍ଦିର କୁଟୀର ଭଳି ନିର୍ମାଣ କରାଯାଇଛି । ଯେଉଁଥିରେ ଜର୍ମାନ ଶାଗୁଆନ୍ କାଠ ଏବଂ କାଚର ବ୍ୟବହାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.