ରମେଶ ପୋଖରିୟାଲ ନିଶଙ୍କ ହୋଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 10, 2021 IST

ଡେରାଡୁନ ୧୦/୦୩ : ଉତ୍ତରାଖଣ୍ଡରେ ତ୍ରିବେନ୍ଦ୍ର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଦୌଡରେ ୪-୫ ନେତାଙ୍କ ନାଁ ସାମ୍ନାକୁ ଆସିଛି। କିଛି ସମୟରେ ବିଜେପି ବିଧାୟକ ଦଳ ବୈଠକ ବସିବ। କେଉଁ ନେତାଙ୍କ ଉପରେ ଶୀର୍ଷ ନେତୃତ୍ୱର ମୋହର ଲାଗିବ ତାହା ଏହି ବୈଠକରେ ନିଷ୍ପତ୍ତି ହେବ।

ଇତି ମଧ୍ୟରେ ଖବର ଆସିଛି ଯେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପୁଣିଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳି ପାରନ୍ତି। ତ୍ରିବେନ୍ଦ୍ର ସିଂହଙ୍କ ଇସ୍ତଫା ପରେ ଧନ ସିଂହ ରାବତ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା ହୋଇଥିଲା।

ତ୍ରିବେନ୍ଦ୍ର ସିଂହ ରାବତ ମଙ୍ଗଳବାର ଦିନ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ବୁଧବାର ସକାଳ ୧୦ଟା ରେ ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ରାବତ ପଦବୀ ଛାଡିବା ପରେ ବିଜେପିର ଅନେକ ନେତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସାମ୍ନାକୁ ଆସିଛି। ଅଜୟ ଭଟ୍ଟ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଧନ ସିଂ ରାୱତ ଏବଂ ସତ୍ୟପାଲ ମହାରାଜଙ୍କ ନାଁ ସାମ୍ନାକୁ ଆସିଛି ।

ରମେଶ ପୋଖରିୟାଲ ୧୯୯୧ ମସିହାରେ ପ୍ରଥମଥର ପାଇଁ କର୍ଣ୍ଣପ୍ରୟାଗ ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ୧୯୯୭ ମସିହାରେ ସେ ଉତ୍ତରାଞ୍ଚଳ ବିକାଶ ମନ୍ତ୍ରୀ ହୋଇଥିଲେ। ୨୦୦୯ରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୯୧ରୁ ୨୦୧୨ ଯାଏଁ ୫ଥର ବିଧାୟକ ହୋଇସାରିଛନ୍ତି। ବର୍ତ୍ତମାନ ସେ ହରିଦ୍ୱାର ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.