ଡାକ୍ତରଙ୍କ ନୋଟିସ୍‌ର ଜବାବ ଦେଇ ରାମଦେବ କହିଲେ- ଏହାକୁ ପ୍ରତ୍ୟାହାର କରି ନିଅନ୍ତୁ, ଏଥିରେ କିଛି ଦମ ନାହିଁ

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮।୦୬: ଯୋଗ ଗୁରୁ ରାମଦେବ ଏବଂ ଡାକ୍ତରୀ ସଂଘ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଏଲୋପାଥି ବିରୋଧରେ ତାଙ୍କ ଟିପ୍ପଣୀକୁ ନେଇ ଏକ ଡାକ୍ତରୀ ସଂଘ ଦ୍ଵାରା ଜାରି ଆଇନ ନୋଟିସ୍ ଉପରେ ଜବାବ ଦେଇ ରାମଦେବ କହିଛନ୍ତି, ଏଥିରେ କୌଣସି ଦମ୍ ନାହିଁ। ଏହା ଅଧୁରା ସୂଚନା ଏବଂ ଏକ ଘଣ୍ଟା ଲମ୍ବା ଭିଡିଓର ଏକ ଛୋଟ ଅଂଶକୁ ନେଇ ଆଧାରିତ। ରାମଦେବ କହିଛନ୍ତି, ତାଙ୍କ ଟିପ୍ପଣୀକୁ ଅନ୍ୟ ଅର୍ଥରେ ବୁଝାଯାଉଛି। ସେ କେବଳ ପ୍ରୟୋଗାତ୍ମକ ଚିକିତ୍ସାର ଅତ୍ୟଧିକ ଉପଯୋଗ ଉପରେ ପ୍ରଶ୍ନ ଉଠାଇଥିଲେ।

ରାମଦେବ କହିଛନ୍ତି, ଅନେକ ଚିକିତ୍ସା ବିଶେଷଜ୍ଞ ମଧ୍ୟ ଅତ୍ୟଧିକ ପ୍ରୟୋଗାତ୍ମକ ଚିକିତ୍ସାକୁ ନେଇ ଚିନ୍ତିତ। ଚିକିତ୍ସାର କୌଣସି ଅନୁଶାସନ ବିରୋଧରେ ତାଙ୍କର କୌଣସି ଦୁର୍ଭାବନା ନାହିଁ। ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ(FAIMA)ର ନୋଟିସ୍‌ର ଜବାବରେ ରାମଦେବ କହିଛନ୍ତି, ଆପଣଙ୍କ ଦ୍ଵାରା ଜାରି କରାଯାଇଥିବା ନୋଟିସ୍ ସଂପୂର୍ଣ୍ଣ ଭୁଲ୍ ଅଟେ। ମୋ ଭିଡିଓକୁ ସଠିକ୍ ଭାବେ ନବୁଝି ଅଧା ସୂଚନାରେ ନୋଟିସ୍ ଜାରି କରାଯାଇଛି। ଏଥିପାଇଁ ଆପଣଙ୍କୁ ପରାମର୍ଶ ଦେଉଛି ଯେ, ଆପଣ ନିଜର ନୋଟିସ୍ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ।

ରାମଦେବ ଗତ ମାସରେ ନିଜ ବୟାନରେ କହିଥିଲେ ଯେ, ଟିକାକରଣ ପରେ ମଧ୍ୟ ପ୍ରାୟ ୧୦ ହଜାର ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏଥିସହ ସେ ଏଲୋପାଥି ଚିକିତ୍ସାକୁ ନେଇ ୨୫ଟି ପ୍ରଶ୍ନ କରିଥିଲେ।  ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଅନୁଯାୟୀ, ସଂକ୍ରମଣର ଦ୍ଵିତୀୟ ଲହର ସମୟରେ କୋଭିଡ୍-୧୯ର ପ୍ରଥମ ଲହରରେ ୭୫୩ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଥିଲା।

ଫାଇମାର ସାଧାରଣ ସଂପାଦକ ଶୁଭଙ୍କର ଦତ୍ତା କହିଛନ୍ତି, ସେମାନେ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ପରାମର୍ଶ ଲୋଡିବେ। ପରବର୍ତ୍ତୀ ପଦକ୍ଷେପ ପାଇଁ ଆଇଏମଏ ଓ ଅନ୍ୟ ଡାକ୍ତର ସଂଘ ସହିତ ମିଶି କାମ କରିବୁ। ଚଳିତ ସପ୍ତାହରେ ସମସ୍ତ ଡାକ୍ତରୀ ସଂଘର ପ୍ରମୁଖଙ୍କ ଏକ ଦେଶବ୍ୟାପୀ ବୈଠକ ଆରମ୍ଭ କରିବୁ ବୋଲି ସେ  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.