Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୂଳ ଖାଇଲା ସମୁଦ୍ର,ବଦଳିଲା ନଦୀର ଗତିପଥ: ସୁରକ୍ଷା ପାଇଁ କୃତ୍ରିମ ମୁହାଣ ଖୋଳିଲେ ସ୍ଥାନୀୟ ବାସିନ୍ଦା

10/09/2019 at 6:53 PM

ବ୍ରହ୍ମପୁର ୧୦।୯- କୂଳ ଖାଇଲା ସମୁଦ୍ର । ବଦଳିଲା ନଦୀର ଗତିପଥ । ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ବାହୁଦା ନଦୀ ଗତିପଥ ବଦଳାଇବା ଏବଂ ସମୁଦ୍ର ବାରମ୍ବାର କୂଳ ଖାଇବା ଯୋଗୁଁ ଭୟରେ ଥିଲେ ସ୍ଥାନୀୟ ଅଞ୍ଚଳବାସୀ । ପ୍ରଶାସନକୁ ଏହାର ପ୍ରତିକାର ପାଇଁ ବାରମ୍ବାର ଜଣାଇବା ପରେ ବି କେହି ନଶୁଣିବାରୁ  ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲେ ରମେୟାପାଟଣା ଓ ସୁନାପୁର ଅଞ୍ଚଳରେ ଲୋକେ ।

ସକାଳୁ ଗାଁର ପାଖାପାଖି ୪ଶହ ଲୋକ ଡଙ୍ଗାରେ ଯାଇ ମୁହାଣ ନିକଟରେ ପହଁଞ୍ଚିଥିଲେ। ସୁନାପୁର ଠାରୁ ବେଳଭୂମୀ ଦେଇ ଏକ ଜେସିବି ମୁହାଣ ନିକଟକୁ ଅଣାଯାଇଥିଲା। ଦିନତମାମ ବାହୁଦା ମୁହାଣ ଖୋଳା ଚାଲିଥିଲା।  ଜେସିବି ସାହାଯ୍ୟରେ ୪ ଫୁଟ ଓସାର ଓ ପ୍ରାୟ ଶହେ ମିଟର ଲମ୍ବ ସ୍ଥାନରୁ ବାଲି କାଢ଼ାଯାଇ କୃତ୍ରିମ ମୁହାଣ ଖୋଳାଯିବା ପରେ ବାହୁଦା ନଦୀର ପାଣିକୁ ସମୁଦ୍ରକୁ ଛଡାଯାଇଛି ।

ରାମେୟାପାଟଣା ଗାଁ ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଅନ୍ତର୍ଗତ କତୁରୁ ପଞ୍ଚାୟତର ସମୁଦ୍ରକୂଳରେ ଅବସ୍ଥିତ । ରାମେୟପାଟଣା-ସୁନାପୁର ମଧ୍ୟବର୍ତ୍ତୀ ସ୍ଥାନରେ ବାହୁଦା ନଦୀ ସମୁଦ୍ରରେ ମିଶିଛି। ବାହୁଦା ମୁହାଣ ଗତ କିଛି ମାସ ହେବ ପୋତି ହେବା ସହ ବାହୁଦା ନଦୀ ଗତିପଥ ବଦଳାଇଛି । ଫଳରେ ନଦୀର ଜଳ ସମୁଦ୍ରକୁ ନିଷ୍କାସିତ ହୋଇପାରୁନଥିଲା ।

ଏହାର ପ୍ରଭାବରେ ସମୁଦ୍ର ଉଗ୍ର ହେବା ସହିତ ସୁଉଚ୍ଚ ଜୁଆର ଆସି କୂଳ ଖାଉଥିଲା। ସମୁଦ୍ର ଅଶାନ୍ତ ଯୋଗୁଁ ରାମେୟାପାଟଣା ଲୋକେ ସବୁବେଳେ ଆତଙ୍କିତ ଅବସ୍ଥାରେ ରହୁଥିଲେ । ସମୁଦ୍ରର କରାଳ ରୂପ ଲାଗି ମତ୍ସଜୀବୀମାନେ ମଧ୍ୟ ହାତବାନ୍ଧି ବସିଥିଲେ । ଶେଷରେ ଏହାର ପ୍ରତିକାର ଲାଗି ରାମେୟାପାଟଣା ଓ ସୁନାପୁର ଗ୍ରାମବାସୀ ଅଣ୍ଟା ଭିଡିଥିଲେ। ଜେସିବି ସାହାଯ୍ୟରେ ବାଲି ଖୋଳି ନୂଆ ମୁହାଣ କରିଥିଲେ ।

   Related Posts