ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମି ପୂଜନ, ପ୍ରଧାନମନ୍ତ୍ରୀଙ୍କ ଯୋଗ ଦେବା ନେଇ ସସପେନ୍ସ

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮।୦୭: କରୋନା ମହାମାରୀ ମଧ୍ୟରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ। ସୂତ୍ର ଅନୁଯାୟୀ  ଅଗଷ୍ଟ ମାସ ପାଞ୍ଚ ତାରିଖରୁ ଭୂମି ପୂଜନ କାର୍ଯ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟରେ ସାମିଲ ହେବେ ବୋଲି କୁହାଯାଉଛି। କାରଣ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର  ସଭାପତି ନୃତ୍ୟ ଗୋପାଲ ଦାସ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବହୁପ୍ରତୀକ୍ଷିତ ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମନ୍ତ୍ରିତ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ଏ ପର୍ଯ୍ୟନ୍ତ ଅଧିକାରୀ ଭାବେ କୌଣସି ସୂଚନା ମିଳିନାହିଁ।

ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଭାପତିଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ ପୂର୍ବରୁ କହିଥିଲେ ଟ୍ରଷ୍ଟ ଶ୍ରାବଣ ମାସରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବାକୁ ଚାହୁଁଛି। କିନ୍ତୁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ସ୍ଥିର ହୋଇ ନାହିଁ। ଏହି ବିଷୟରେ ଶନିବାର ଅପରାହ୍ନ ୩ଟାରୁ ଅଯୋଧ୍ୟା ସର୍କିଟ୍ ହାଉସରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଛ। ବୈଠକରେ ମନ୍ଦିର ନିର୍ମାଣ ସମିତିର ସଭାପତି ନୃପେନ୍ଦ୍ର ମିଶ୍ର ଉପସ୍ଥିତ ଅଛନ୍ତି।

ନୃପେନ୍ଦ୍ର ମିଶ୍ର ଜୁଲାଇ ୧୬ରୁ ଅଯୋଧ୍ୟାରେ ଅଛନ୍ତି। ତାଙ୍କ ସହିତ ବିଏସଏଫର ପୂର୍ବତନ ମହାନିର୍ଦ୍ଦେଶକ ତଥା ରାମ ଜନ୍ମଭୂମି ଟ୍ରଷ୍ଟର ସୁରକ୍ଷା ପରାମର୍ଶଦାତା କେକେ ଶର୍ମା ମଧ୍ୟ ଅଛନ୍ତି। ଏହା ସହିତ ବଡ ଇଞ୍ଜିନିୟର ଦଳ ମଧ୍ୟ ଅଯୋଧ୍ୟାରେ ଡେରା ପକାଇଛନ୍ତି। ଏହି ଦଳ ମନ୍ଦିର ନିର୍ମାଣର ପ୍ରସ୍ତୁତି ଉପରେ ନଜର ରଖିଛନ୍ତି।

ରାମ ମନ୍ଦିରର ମୋଡେଲ ପ୍ରସ୍ତୁତକର୍ତ୍ତା ଚନ୍ଦ୍ରକାନ୍ତ ସୋମପୁରାଙ୍କ ବ୍ୟତୀତ ତାଙ୍କ ପୁତ୍ର ନିଖିଲ ସୋମପୁରା ମଧ୍ୟ ଅଯୋଧ୍ୟା ପହଞ୍ଚିଛନ୍ତି। ଉଭୟ ବୈଠକରେ ସାମିଲ ଅଛନ୍ତି। ଅନ୍ୟପକ୍ଷେ ମନ୍ଦିର ନିର୍ମାଣର ତାରିଖକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେଣୁ ଆଶା କରାଯାଉଛି ଯେ, ଆଜିର ବୈଠକରେ ମନ୍ଦିର ନିର୍ମାଣ ଆରମ୍ଭ କରାଯିବାର ତାରିଖ ଉପରେ ମୋହର ବାଜିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.