ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

Published By : Prameya-News7 Bureau | April 21, 2021 IST

ଭୁବନେଶ୍ୱର ୨୧।୦୪:  ଆଜି ପବିତ୍ର ଶ୍ରୀରାମ ନବମୀ । କୋଭିଡ କଟକଣା ପାଇଁ ଏବର୍ଷ ନିରାଡମ୍ବର ଭାବେ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ । ସେପଟେ କରୋନା ସ୍ଥିତି ଦେଖି ଆଜିଠାରୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରି ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ନିଷେଧ କରାଯାଇଥିବା ବେଳେ କେବଳ ନୀତିକାନ୍ତି ଜାରି ରହିବ ।

ତେବେ କଟକଣା ପାଇଁ ରାଜଧାନୀରେ ଶ୍ରୀରାମ ନବମୀ ଫିକା ପଡ଼ିଛି। ଶ୍ରୀରାମ ନବମୀ ପାଇଁ ସମସ୍ତ ରାମ ମନ୍ଦିର, ହନୁମାନ ମନ୍ଦିର, ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ହେଲେ ଉଭୟ ବିଏମ୍ ସି ଓ ସିଏମ୍ ସି ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଲଗାଇ ଦେଇଛନ୍ତି। ଧର୍ମାନୁଷ୍ଠାନଗୁଡିକରେ କେବଳ ଦୈନନ୍ଦିନ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ । ପୂଜକ ଏବଂ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ପୂଜକ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଏଥି ହାତ ଧୋଇବାକୁ ହ୍ୟାଣ୍ଡୱାସ ରଖିବାକୁ ପରିଚାଳନା କମିଟିଗୁଡିକୁ ନିର୍ଦ୍ଦେଶ ରହିଛି ।

କଟକରେ ମଧ୍ୟ ସଧାରଣ ଲୋକଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖାଯାଇଛି । କେବଳ ସେବାୟତମାନେ ନୀତିକାନ୍ତି କରିବେ । ସେହିପରି ମନ୍ଦିର, ମସ୍ ଜିଦ୍ , ଗୁରୁଦ୍ବାର, ଚର୍ଚ୍ଚ ପରି ସମସ୍ତ ଧାର୍ମିକ ଅନୁଷ୍ଠାନରେ ଅଳ୍ପ ସଂଖ୍ୟକ ପୁରୋହିତ, ମୌଲବି, ପାଳକ ଆଦିଙ୍କୁ ନେଇ ପାରମ୍ପରିକ ରୀତିନୀତି ଓ ପୂଜା ବିଧି ଅନୁଷ୍ଠିତ ହେବ। ଧର୍ମାନୁଷ୍ଠାନ ପରିସରରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ନିୟମକୁ ପାଳନ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.