୨୦୨୪ ସୁଦ୍ଧା ପୁରା ହୋଇଯିବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ! ବ୍ୟବହାର ହେବ ୩ ପ୍ରକାର ପଥର

Published By : Prameya-News7 Bureau | June 11, 2021 IST

ଅଯୋଧ୍ୟା ୧୧/୦୬ : ଧର୍ମ ନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ପୁରା ହୋଇଯିବ । ଭିତ୍ତିପ୍ରସ୍ତର କାମ ଜୋରସୋରରେ ଚାଲିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଅନୁଯାୟୀ, ମନ୍ଦିର ନିର୍ମାଣ ପାଇଁ ୩ଟି ଭିନ୍ନ ଭିନ୍ନ ପ୍ରକାରର ପଥର ବ୍ୟବହାର କରାଯିବ ।

ସେ କହିଛନ୍ତି ଯେ ମିର୍ଜାପୁରର ୪ ଲକ୍ଷ କ୍ୟୁବିକ ପଥରରେ ଏହା ନିର୍ମାଣ ହେବ । ଗର୍ଭଗୃହରେ ବଂଶୀପାହାଡ଼ପୁରର ଲାଲ ପଥର ଉପଯୋଗ କରାଯିବ । ପରକୋଟା ନିର୍ମାଣରେ ଅଲଗା ପ୍ରକାର ପଥର ଲଗାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଦେଶରେ ଅନେକ ପଥର ଖଣି ଅଛି ଯେଉଁଠି ବିଭିନ୍ନ ପ୍ରକାରର ବାଲି ପଥର ଉପଲବ୍ଧ । ଏହିଭଳି ଖଣି ସହ ଯୋଗାଯୋଗ କରାଯାଉଛି ।

ମନ୍ଦିର ପରିସରର ୫ ଏକରରେ ପରକୋଟା ନିର୍ମାଣ ହେବ ।ପରକୋଟା ନିର୍ମାଣରେ ବିଶେଷ ପଥର ଲଗାଯିବ । ଏହାଦ୍ୱାରା ମନ୍ଦିର ପରିସର ଆହୁରି ଭବ୍ୟ ଲାଗିବ । ବର୍ତ୍ତମାନ ଭିତ୍ତିପ୍ରସ୍ତର ପାଇଁ ଲେୟାର କାମ ଚାଲିଛି । ଏବେ ଯାଏଁ ୬ଟି ଲେୟାର କାମ ହୋଇଛି । ମଝି ମଝିରେ ବର୍ଷା ଯୋଗୁଁ କାମ ବାଧାପ୍ରାପ୍ତ ହେଉଛି । ଟ୍ରଷ୍ଟର ମହାସଚିବ କହିଛନ୍ତି ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ପୁରା କରିବାର ଲକ୍ଷ୍ୟ ରହିଛି । ମନ୍ଦିର ନିର୍ମାଣର ୭୦ ପ୍ରତିଶତ କାମ ବଡ ବଡ ମେସିନ ସାହାଯ୍ୟରେ ହେଉଛି । ସେଥିପାଇଁ ମନ୍ଦିର ନିର୍ମାଣରେ ଶ୍ରମଦାନର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସମିତିର ଦୁଇଦିନିଆ ବୈଠକ ବସିବାକୁ ଯାଉଛି । ଜୁନ ୧୩ ଓ ୧୪ ତାରିଖ ଅପରାହ୍ନ ୩ଟା ସମୟରେ ଫୈଜାହାଦ ସ୍ଥିତ ସର୍କିଟ ହାଉସରେ ବୈଠକ ବସିବ । ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଜୁନ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିଯିବେ । ସେ ଦୁଇଦିନ ଅଯୋଧ୍ୟାରେ ରହି ମନ୍ଦିର ନିର୍ମାଣ କାମ ସମୀକ୍ଷା କରିବା ସହ ଭାବି ଯୋଜନା ଉପରେ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.