ଏଥର ଖାସ୍ ହେବ ସାଧାରଣତନ୍ତ୍ର ଦିବସ ପରେଡ୍, ସାମିଲ ହେବ ରାମ ମନ୍ଦିର ପ୍ରଜ୍ଞାପନ ମେଢ

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧।୧୨:  ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍ ଖାସ୍ ହେବାକୁ ଯାଉଛି। ଏଥର ରାଜପଥରେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ। ଉତ୍ତର ପ୍ରଦେଶ ପକ୍ଷରୁ ଯେଉଁ ପ୍ରଜ୍ଞାପନ ମେଢ ସାମିଲ ହେବ ସେଥିରେ ରାମ ମନ୍ଦିର ମୋଡେଲ୍ ରହିବ।

ଉତ୍ତର ପ୍ରଦେଶ ପକ୍ଷରୁ ଏଥର ଅଯୋଧ୍ୟାର ସାଂସ୍କୃତିକ କଳାଭାସ୍କର୍ଯ୍ୟର ଥିମ୍ ରହିଛି। ପ୍ରଜ୍ଞାପନ ମେଢରେ ପ୍ରତି ବର୍ଷ ହେଉଥିବା ଦୀପୋତ୍ସବକୁ ମଧ୍ୟ ସାମିଲ କରାଯିବ। ଏଥିସହ ଶବରୀଙ୍କ ପ୍ରଭୁ ରାମ ଚନ୍ଦ୍ରଙ୍କୁ ଫଳ ଖୁଆଇବା, ନିଷାଦରାଜ ରାମଙ୍କୁ ଆଲିଙ୍ଗନ କରିବା, କେବଟଙ୍କୁ ଆଶୀର୍ବାଦ ଦେବା ସମେତ ଅନ୍ୟ ଦୃଶ୍ୟକୁ ପ୍ରଜ୍ଞାପନ ମେଢରେ ସାମିଲ କରାଯିବ।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ଚଳିତ ବର୍ଷ ଅଗଷ୍ଟରେ ରାମ ମନ୍ଦିରର ଶିଳାନ୍ୟାସ୍ ହୋଇଥିଲା। ଡିସେମ୍ବର ମାସରୁ ମନ୍ଦିରର ନିର୍ମାଣ ଆରମ୍ଭ ହେବାକୁ ଯାଉଛି। ୟୁପି ସରକାର କ୍ରମାଗତ ଅଯୋଧ୍ୟାକୁ ପର୍ଯ୍ୟଟନ ମାନଚ୍ଚିତ୍ରରେ ବିଶେଷ ସ୍ଥାନ ଦେବାକୁ ପ୍ରୟାସ ଚଳାଇଛନ୍ତି। ଅଯୋଧ୍ୟାରେ ଏବେ ପ୍ରତି ବର୍ଷ ଦୀପାବଳି ଭବ୍ୟତାର ସହ ପାଳନ କରାଯାଉଛି। ଚଳିତ ବର୍ଷ ୬ ଲକ୍ଷ ଦୀପ ସହିତ ଦୀପୋତ୍ସବ ଆୟୋଜନ କରାଯାଇଥିବା ବେଳେ ଆସନ୍ତାବର୍ଷ ୭ ଲକ୍ଷ ଦୀପ ପ୍ରଜ୍ଜ୍ଵଳନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ପ୍ରତି ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପରେଡ୍ ଆୟୋଜନ ହୋଇଥାଏ। ଏଥିରେ ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢରେ ଦେଶର ବିଭିନ୍ନ ସାଂସ୍କୃତିକର ଝଲକ ଦେଖିବାକୁ ମିଳିଥାଏ। ତେଣୁ ରାଜ୍ୟଗୁଡିକ ପକ୍ଷରୁ ଥିମ୍ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଉଛି। ଏଥର ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତର ଅତିଥି ହୋଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.