ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରଣ ହୁଂକାର; ଉଦ୍ଧବ ଠାକରେଙ୍କ ନେତୃତ୍ବରେ ସାମିଲ ହେଲେ ହଜାର ହଜାର ଶିବସୈନିକ

Published By : Prameya-News7 Bureau | November 25, 2018 IST

ଆଯୋଧ୍ୟାରେ ରାମ ମନ୍ଦିର ପାଇଁ ରଣ ହୁଂକାର । ମହାମେଳି କରିଛନ୍ତି ହିନ୍ଦୁ ସଂଗଠନଗୁଡିକ । ରାମ ମନ୍ଦିର ନିର୍ମାଣ ପାଇଁ କରିଛନ୍ତି ଧର୍ମସଭା । ବିଶ୍ବହିନ୍ଦୁ ପରିଷଦ ଆହ୍ବାନରେ ଆୟୋଜିତ ଧର୍ମସଭାରେ ଶିବସେନା ବିଜେପି ଉପରେ ଆକ୍ଷେପ କରିଛି। ସେପଟେ ବିଶ୍ବ ହିନ୍ଦୁ ପରିଷଦ ନେତାମାନେ ଚରମବାଣୀ ଶୁଣାଇଥିଲେ ଯେ ଆମକୁ ପୂରା ଜମି ଦରକାର। ପୂରା ଆଯୋଧ୍ୟା ଗେରୁଆ ଗେରୁଆ । ରାସ୍ତା ଘାଟ ସବୁଠି ଉଡ଼ୁଛି ଗେରୁଆ ଝଣ୍ଡା । ବିଶ୍ବ ହିନ୍ଦୁ ପରିଷଦର ହିନ୍ଦୁ ସଭାରେ ଯୋଗ ଦେବା ଲାଗି ହଜାର ହଜାର କରସେବକ, ସାଧୁସନ୍ୟାସୀ ଅଯୋଧ୍ୟା ମୁହାଁ ହୋଇଛନ୍ତି। ଶୁଭିଛି ରାମ ନାମର ଗର୍ଜନ । ରାମ ମନ୍ଦିର ନିର୍ମାଣ ପାଇଁ ମହାମେଳି। ଏଥିରେ ବିଶ୍ବ ହି୍ଦୁ ପରିଷଦ, ଆରଏସଏସ କର୍ମୀଙ୍କ ସହିତ ସାଧୁସନ୍ଥ ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ହଜାର ହଜାର ଶିବସୈନିକ ବି ସାମିଲ ହୋଇଛନ୍ତି । ଏପରିକି ମହିଳା ଏବଂ କିନ୍ନର ବି ଏଥିରେ ଯୋଗ ଦେବା ଲାଗି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏହି ଧର୍ମସଭାରେ ବିଶ୍ବହିନ୍ଦୁ ପରିଷଦ ଶୁଣାଇଛି ଚରମ ବାଣୀ । ରାମ ଲାଲଙ୍କ ବିବାଦୀୟ ଜମି ପୂରା ଦରକାର ।। ବିବାଦୀୟ ସ୍ଥାନରେ ନମାଜ ପାଠ କରାଇ ଦେବୁନି । ଜମି ଭାଗବଣ୍ଟାକୁ ଗ୍ରହଣ କରାଯିବ ନାହିଁ। ପୂରା ଜମି ମିଳିଲେ ହିଁ ଦେଶର ବିକାଶ ସମ୍ଭବ। ଆରଏସଏସ କହିଛି ଅଯୋଧ୍ୟା ଜମି ନଛାଡ଼ିଲେ ମଥୁରା କାଶୀ ପ୍ରସଙ୍ଗ ବି ଉଠିବ। ସେପଟେ ଉଦ୍ଧବ ଠାକରେ ବୁଲେଇ ବଙ୍କେଇ ବିଜେପିକୁ ନିସାନା କରିଛି। ନିର୍ବାଚନ ଆସିଲେ ରାମ ରାମ ଏବଂ ତାପରେ ଆରାମ ବୋଲି କହି ଆକ୍ଷେପ କରିଛନ୍ତି ବିଜେପିକୁ। ଅଯୋଧ୍ୟା ଏବେ ଗେରୁଆ ଗେରୁଆ ନହେଲେ ଖାକି ଖାକି । ୧୯୯୨ ପରେ ଏଡ଼େ ବଡ଼ ମେଳି ହୋଇଛି। ଏହା ପୁଣି ବାବ୍ରି ମସଜିଦ ଭଙ୍ଗାର ୨୬ ବର୍ଷ ପୂରିବାକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ। ଅଯୋଧ୍ୟାର ସ୍ଥାୟୀ ବାସିନ୍ଦା କିନ୍ତୁ ଆତଙ୍କିତ। କାଳେ ୯୨ ଭଳି ପରିସ୍ଥିତି ସୃଷ୍ଟି ହେବ। ଦଙ୍ଗା ହୋଇଯିବ।ଗୁଳି ଚାଲିବ।୯୨ ର ଦରଜ ଏବେବି ଥିବା ବେଳେ ପୁଣି ଅଯୋଧ୍ୟାରେ ମହାମେଳି ହୋଇଛି। ତେବେ ପୋଲିସ ସ୍ଥିତି ଉପରେ କଡ଼଼ା ନଜର ରଖିଛି। ନିର୍ମାଚନ ଆଉ ମାତ୍ର କିଛି ମାସ ରହିଲା। ରାମ ମନ୍ଦିର ନିର୍ମାଣ ନାରା ଦେଇ ସରକାରକୁ ଆସିଥିଲା ବିଜେପି। ହାତରୁ ସମୟ ଗଡ଼ି ଯାଉଛି। ଏଣେ ସୁପ୍ରିମ କୋର୍ଟରେ ବି ଫଇସଲା ହୋଇନି। ତେଣୁ କେନ୍ଦ୍ର ରାମ ମନ୍ଦିର ନିର୍ମାଣ ଅଧ୍ୟାଦେଶ ଆଣିବାକୁ ଅଡ଼ି ରହିଥିଲେ ବି ଆଜିର ଧର୍ମ ସଭାରେ ଏନେଇ ସଂକଳ୍ପ କିନ୍ତୁ ଗ୍ରହଣ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.