ତ୍ରେତୟା ଯୁଗର ଅଯୋଧ୍ୟା ନଗରୀ ଭଳି ସଜେଇ ହେଉଛି ଆଜିର ରାମଜନ୍ମଭୂମି : ସହରର କାନ୍ଥବାଡ଼ରେ ଦେଖିବାକୁ ମିଳିବ ରାମାୟଣର ପ୍ରତିଛବି

Published By : Prameya-News7 Bureau | July 31, 2020 IST

ଅଯୋଧ୍ୟା ୩୧/୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିବାକୁ ଅଯୋଧ୍ୟା ଆସିବେ। ପ୍ରଧାନମନ୍ତ୍ରୀ ମୋଦି ଆସିବା ପୂର୍ବରୁ ଅଯୋଧ୍ୟାକୁ ନୂଆ ବୋହୂ ଭଳି ସଜାଯିବ। ତାଙ୍କୁ ଚାରିପଟେ ତ୍ରେତୟା ଯୁଗ ଭଳି ଛବି ଦେଖିବାକୁ ମିଳିବ। ସେଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

ଅଯୋଧ୍ୟା ଆଗମନରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସାକେତ ମହାବିଦ୍ୟାଳୟରେ ନିର୍ମିତ ହେଉଥିବା ହେଲିପ୍ୟାଡରେ ଓହ୍ଲାଇବ। ଏଠାରୁ ପ୍ରଧାନମନ୍ତ୍ରୀ ସଡ଼କ ମାର୍ଗରୁ ରାମଜନ୍ମଭୂମି ପାଇଁ ବାହାରିବେ। ରାମଜନ୍ମଭୂମିରେ ସେ ଭୂମି ପୂଜା କରିବେ। ଏଠାରୁ ହନୁମାନଗଢ଼ୀ ଦର୍ଶନ କରିବାକୁ ଯିବେ। ସାକେତ କଲେଜରୁ ରାମଜନ୍ମଭୂମି ଏବଂ ହନୁମାନଗଢ଼ୀ ଯାଉଥିବା ମାର୍ଗର ଦୁଇ ପଟେ ସମସ୍ତ ଭବନର କାନ୍ଥରେ ତ୍ରେତୟା ଯୁଗର ଝଲକ ଦେଖାଇ ରାମାୟଣ କାଳର ପ୍ରସଙ୍ଗର ଆକୃତିକୁ ଦର୍ଶାଯିବ। ଏଥିପାଇଁ କଳାକାରଙ୍କ ଫୌଜ ଲାଗି ପଡ଼ିଛି।

କେବଳ ଏତିକି ନୁହେଁ ଅଯୋଧ୍ୟାର ପ୍ରମୁଖ ମାର୍ଗ ଯେଉଁ ପଟ ଦେଇ ପ୍ରଧାନମନ୍ତ୍ରୀଙ୍କ ବାହିନୀ ଅତିକ୍ରମ କରିବ ତାହାର ଦୁଇ ପଟେ ଭବନକୁ ମଧ୍ୟ ହଳଦିଆ ରଙ୍ଗ ଦିଆଯାଉଛି। ଗୋଟିଏ ରଙ୍ଗରେ ସରାବୋର ସମସ୍ତ ଘର ରାମଜନ୍ମଭୂମି ଏବଂ ହନୁମାନଗଢ଼ୀ ପଟୁ ଯାଉଥିବା ମାର୍ଗର ଶୋଭା ବଢ଼ାଉଛି। ଏହି ମାର୍ଗର ଡିଭାଇଡରର ରଙ୍ଗ କାର୍ଯ୍ୟ ଚାଲିଛି। ଡିଭାଇଡରରେ ଥିବା ବିଜୁଳି ଖୁଣ୍ଟକୁ ମଧ୍ୟ ହଳଦିଆ ରଙ୍ଗ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଅତିକ୍ରମ କରୁଥିବା ରାସ୍ତାର ଦୁଇ ପଟେ ଯୁଦ୍ଧ ସ୍ତରରେ ସ୍ବଚ୍ଛ ଅଭିଯାନ ଚାଲିଛି। ଶୁଖିଲା ଗଛ ହଟା ଦିଆଯାଉଛି।

ଏପଟେ ରାମଜନ୍ମଭୂମି ପରିସରରେ ମଧ୍ୟ ମୁଖ୍ୟ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇ ଆସିଛି। ଭୂମି ପୂଜାସ୍ଥଳରେ ଅତିଥିଙ୍କ ବସିବା ସହ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସ୍ଥାନରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ସରୟୁ ନଦୀରେ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିବ।

ଅଗଷ୍ଟ ୫ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆଗମନର ସପ୍ତାହେ ପୂର୍ବରୁ ରାମଙ୍କ ନଗରୀ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣର ଗୁଇନ୍ଦା ଇନପୁଟ ପରେ ଏଠାରେ ହାଇ ଆଲର୍ଟ ଘୋଷିତ କରି ଦିଆଯାଇଛି। ରାମ ନଗରୀର ମୁଖ୍ୟ ପ୍ରବେଶ ଦ୍ବାରରେ ପୋଲିସ୍ ଆଇଡି ପୃଫ ଦେଖିବା ପରେ ହିଁ ପ୍ରବେଶ କରିବାକୁ ଅନୁମତି ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.