ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ; ପ୍ରସ୍ତୁତ ହେଲା ୪ଟି ରାକ୍ଷୀ
25/08/2018 at 6:58 AM

ଆସନ୍ତାକାଲି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରାକ୍ଷୀ। ଶ୍ରୀମନ୍ଦିରରେ ବଳଭଦ୍ର ନୀତି ସହ ଗହ୍ମା ପୁର୍ଣ୍ଣିମାକୁ ବେଶ୍ ଉତ୍ସାହର ସହ ପାଳନ କରାଯାଉଥିବାରୁ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପାଟରା ବିଶୋଇ ସେବାୟତ। ବାସୁଙ୍ଗା ପାଟର ୪ ଟି ସ୍ୱତନ୍ତ୍ର ରଂଗରେ ଏହି ରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ ହେଉଛି ବଳଭଦ୍ର, ଜଗନ୍ନାଥ ଓ ପାର୍ଶ୍ୱ ଦେବାଦେବୀଙ୍କୁ ଲାଗି କରିବା ପାଇଁ।
ଭାଇ ଭଉଣୀ ପବିତ୍ର ସଂପର୍କର ପର୍ବ ହେଉଛି ରକ୍ଷା ବନ୍ଧନ ଉତ୍ସବ। ଆଉ ଏହି ଉତ୍ସବକୁ ବେଶ୍ ଆନନ୍ଦ ଉତ୍ସାହର ସହ ଶ୍ରୀମନ୍ଦିରରେ ପାଳନ କରାଯାଏ। ଗହ୍ମାପୁର୍ଣ୍ଣିମାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ ସହ ଏହି ରକ୍ଷା ବନ୍ଧନ ପାଇଁ ଏବେ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାଟରା ବିଶୋଇ ସେବାୟତ ମାନେ ବାସୁଙ୍ଗା ପାଟକୁ ବ୍ୟବହାର କରି ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ସମୁଦାୟ ୪ ଟି ରାକ୍ଷୀ ଓ ୪ ଟି ଗୁଆମାଳ ପ୍ରସ୍ତୁତ କରିଥାନ୍ତି। ଏହାଛଡ଼ା ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ୮ ଟି ଛୋଟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଶୋଇ ସେବାୟତ। ବିଶେଷ କରି ବାସୁଙ୍ଗା ପାଟର ୪ ଟି ରଂଗ ଯଥା ନାଲି, ନେଳି, ବାଇଗଣି ଓ ହଳଦିଆ ରଂଗ ବ୍ୟବହାର କରି ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ।
ରାକ୍ଷୀ ପ୍ରସ୍ତୁତ ପାଇଁ ପ୍ରାୟ ୧୫ ଦିନ ସମୟ ଲାଗିଥାଏ। ପାଟରା ବିଶୋଇ ସେବାୟତ ମାନେ ସୁଦ୍ଧ ପୁତ ଭାବେ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ଜଗନ୍ନାଥ ଓ ବଳଭଦ୍ର ପ୍ରତ୍ୟେକଙ୍କ ପାଇଁ ୨ ଟି ଲେଖାଏଁ ରାକ୍ଷୀ ସହ ଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି, ବଳଭଦ୍ରଙ୍କ ପାଇଁ ବାଇଗଣୀ ଓ ନୀଳ ରଂଗର ଗୁଆମାଳ ପ୍ରସ୍ତୁତ କରାଯାଏ। ୫୪ ଟି ଗୁଆରେ ଗୋଟିଏ ଲେଖାଏଁ ମାଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଲାଗି କରାଯାଏ। ଆସନ୍ତାକାଲି ସକାଳୁ ଏହି ରାକ୍ଷୀ ଓ ଗୁଆମାଳକୁ ଶ୍ରୀମନ୍ଦିର ଅଭିମୁଖେ ଦୁଇଟି ତାଡ଼ ସାହାଯ୍ୟରେ ନିଆ ଯାଇଥାଏ।
ଶ୍ରୀମନ୍ଦିରରେ ବର୍ଷତମାମ୍ ପାଳନ କରାଯାଉଥିବା ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ତ୍ୱ ରହିଛି। ଆଉ ଏହି ଉତ୍ସବ ପାଇଁ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ କରି ବେଶ୍ ଉତ୍ସାହିତ ଅନୁଭବ କରିଥାନ୍ତି ସେବାୟତ ମାନେ।