ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ

Published By : Prameya-News7 Bureau | August 25, 2018 IST

ଭାଇ- ଭଉଣୀର ପବିତ୍ର ସମ୍ପର୍କର ସାକ୍ଷୀ, ରାକ୍ଷୀ । ସବୁ ବର୍ଷାରେ ଆସେ ପ୍ରତିଶ୍ରୁତି ନେଇ, ଭଉଣୀ ଆଖିରୁ ପୋଛି ଦେବାପାଇଁ ଲୁହ । ରେଶମର ସୂତାଖିଅରେ ବାନ୍ଧିହୋଇଯାଏ ସମ୍ପର୍କର ଅତୁଟ ବନ୍ଧନ । ହସ ଫୁଟାଏ ସୁନା ଭଉଣୀ ଓଠରୁ… ରିଏଲ ଲାଇଫ୍ ପରି ରିଲରେ ବି’ପ୍ରତିଫଳିତ ହୋଇଛି ରାକ୍ଷୀର ରୋଚକ ଚିତ୍ର । ରେଶମୀ ସୂତାର ଡୋର, ରାକ୍ଷୀ । ସାକ୍ଷୀ ପାଲଟିଛି ଭାଇ ଓ ଭଉଣୀ ପବିତ୍ର ସମ୍ପର୍କର । ୧୯୪୧ ମସିହା । ବଲିଉଡରେ ମେହେବୁବ ଖାନଙ୍କ ‘ବେହେନ୍’ ଓ ୧୯୭୧ରେ ଦେବ୍ ଆନନ୍ଦଙ୍କ ଆଇକନିକ୍ ଫ୍ୟମିଲି ଡ୍ରାମା ‘ହରେ ରାମା ହରେ କ୍ରିଷ୍ଣା’ରେ ପ୍ରଥମେ ଦେଖିବାକୁ ମିଳିଥିଲା ଭାଇ- ଭଉଣୀକୁ ନେଇ ହସ କାନ୍ଦ ଭରା କାହାଣୀ । କିନ୍ତୁ ୧୯୫୯ରେ ଡିରେକ୍ଟର ଏଲ୍ଭି ପ୍ରସାଦଙ୍କ ଫିଲ୍ମ ‘ଛୋଟି ବେହେନ୍’ ରେ ପ୍ରଦର୍ଶିତ ହୋଇଥିଲା ରକ୍ଷା ବନ୍ଧନର ଚିତ୍ର । ନନ୍ଦା ଓ ବଲରାଜ ସାହାନୀଙ୍କୁ ନେଇ ଏହା ହୋଇଥିଲା ଚିତ୍ରାୟିତ । ୧୯୬୨ ମସିହା । ଅଭିନେତା ବଲରାଜ ସାହାନୀ, ଆଉ ଥରେ ବାନ୍ଧିଥିଲେ ରାକ୍ଷୀ ମାଲା ସିହ୍ନାଙ୍କ ହାତରୁ ଫିଲ୍ମ ‘ଅନପଢ’ରେ । ୧୯୬୯ମସିହା । ଫିଲ୍ମ ‘ଅନଜାନା’ରେ ରାଜେନ୍ଦ୍ର କୁମାର ଓ ୧୯୭୨ର ଫିଲ୍ମ ‘ବେଇମାନ୍’ରେ ମନୋଜ କୁମାରଙ୍କୁ ନେଇ ଚିତ୍ରାୟିତ ହୋଇଥିଲା ରକ୍ଷା ବନ୍ଧନର ଚିତ୍ର । ଭାଇ ଓ ଭଉଣୀର ସମ୍ପର୍କକୁ ନେଇ ନିର୍ମିତ ଫିଲ୍ମ ‘ରେଶମ୍ କି ଡୋରି’ । ନାୟକ ଥିଲେ ଧର୍ମେନ୍ଦ୍ର । ୧୯୭୪ରେ ରିଲିଜ ହୋଇଥିବା ଏ ଫିଲ୍ମରେ ଧର୍ମେନ୍ଦ୍ର, ଭଉଣୀମାନଙ୍କ ହାତରୁ ଯେମିତି ରେଶମର ଡୋରି ବାନ୍ଧି ନ’ଥିଲେ, ବାନ୍ଧିଥିଲେ ପବିତ୍ର ପ୍ରେମର ସଂସାର । ଫିଲ୍ମ ‘ସଚ୍ଚା ଝୁଟା’ ରେ ରାଜେଶ ଖାନ୍ନାଙ୍କ ଭୂମିକା ଥିଲା ଭଉଣୀ ପାଇଁ ସ୍ୱପ୍ନ ଦେଖୁଥିବା ଜଣେ ସମର୍ପିତ ଭାଇର । ଡିରେକ୍ଟର ମନମୋହନ ଦେଶାଇଙ୍କ ଏ ଫିଲ୍ମଟି ରିଲିଜ ହୋଇଥିଲା ୧୯୭୦ ମସିହାରେ । ଫିଲ୍ମ ‘ଅଦାଲତ୍’ ଓ ‘ମଜବୁର’ରେ ବିଗ୍-ବି ଅମିତାଭ ବଚ୍ଚନଙ୍କ ଭୂମିକାରେ ବି’ଦେଖିବାକୁ ମିଳିଥିଲା ଏମିତି ଝଲକ୍ । ଯିଏ ଦେଖିପାରେ ନାହିଁ କେବେ ଭଉଣୀ ଆଖିରେ ଲୁହ ।୧୯୮୭ରେ ରିଲିଜ ହୋଇଥିବା ଫିଲ୍ମ ‘ୱତନ କେ ରଖୱାଲେ’ରେ ଗୋଟିଏ ପଟେ ଦେଶ ପ୍ରେମର କାହାଣୀ ଥିବା ବେଳେ ଅନ୍ୟ ପଟେ ଥିଲା ଭାଇ ଓ ଭଉଣୀର ଦର୍ଦ ଭରା ଦାସ୍ତାନ୍ । ରାକ୍ଷୀ, ସାକ୍ଷୀ ଥିଲା ଭାଇ-ଭଉଣୀ ଅମୂଲ୍ୟ ସଂପର୍କର । ରାକ୍ଷୀ କେବଳ ରେଶମର ଡୋର ନୁହେଁ, ଏହା ଭଉଣୀର ଭଲପାଇବା । ଯାହା ଆଶା ରଖେନାହିଁ କୌଣସି ପ୍ରତିଦାନର ।ଏହା ପ୍ରଦର୍ଶିତ ହୋଇଥିଲା ୧୯୯୩ରେ ରିଲିଜ ହୋଇଥିବା ଫିଲ୍ମ ‘ତ୍ରିରଙ୍ଗା’ରେ । ଗେହ୍ଲୀ ଭଉଣୀ ଭୂମିକାରେ ଥିଲେ ବର୍ଷା ଉସଗାଓଁକର । ବଲିଉଡ୍ ପରି ଓଡିଆ ଫିଲ୍ମରେ ଦେଖିବାକୁ ମିଳିଛି ରାକ୍ଷୀର ଦାସ୍ତାନ୍ । ଭାଇ- ଭଉଣୀର ସମ୍ପର୍କକୁ ନେଇ ହସ-କାନ୍ଦ ଭରା କାହାଣୀ । ୧୯୯୫ରେ ମୁକ୍ତିଲାଭ କରିଥିବା ‘ସୁଭଦ୍ରା’ ସହିତ ‘ଶାସ୍ତି’ ଓ ‘ମୋ ଭାଇ ଜଗା’ ପରି ଫିଲ୍ମରେ ଦେଖିବାକୁ ମିଳିଥିଲା ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ରାକ୍ଷୀର ଦାୟ । ଡିରେକ୍ଟର ସଂଜୟ ନାୟକ ରାକ୍ଷୀ ଓ ଭାଇ-ଭଉଣୀର ସମ୍ପର୍କକୁ ଷ୍ଟୋରୀ ଟ୍ରାକରେ ରଖି ନିର୍ମାଣ କରିଥିଲେ ଫିଲ୍ମ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ । ଅଭିନେତା ମିହିର ଦାସ ଓ ଅନୁ ଚୌଧୁରୀଙ୍କୁ ନେଇ ଚିତ୍ରାୟିତ ହୋଇଥିବା ଫିଲ୍ମର ଟାଇଟଲ ଗୀତଟି ଦର୍ଶକ ଦରବାରରେ ବେଶ୍ ଆଦୃତ ହୋଇଥିଲା । ୨୦୦୩ରେ ମୁକ୍ତିଲାଭ କରିଥିବା ଡିରେକ୍ଟର ହର ପଟ୍ଟନାୟକଙ୍କ ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’ରେ ସ୍ୱରୂପ ନାୟକ ରାକ୍ଷୀକୁ ନେଇ ସଂଯୋଜିତ କରିଥିଲେ ଏକ ଗୀତ । ଯାହା ବେଶ୍ ମର୍ମସ୍ପର୍ଶୀ ଥିଲା । ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଫିଲ୍ମ ‘ସାଥିରେ’ ୨୦୦୪ରେ ମୁକ୍ତିଲାଭ କରିଥିଲା । ଫିଲ୍ମରେ ରାକ୍ଷୀ ଥିଲା ସାକ୍ଷୀ, ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର । ମନ୍ମଥ ମିଶ୍ରଙ୍କ ଗୀତ ଓ ସଂଗୀତ ରାକ୍ଷୀକୁ ସଜାଇ ଥିଲା ପାରିବାରିକ ସମ୍ପର୍କର ଡୋର । ଭଉଣୀ ହାତର ରାକ୍ଷୀ ଠାରୁ କିଛି ଅମୂଲ୍ୟ ସମ୍ପଦ ନାହିଁ ଭାଇ ପାଇଁ, ଯାହା ପ୍ରଦର୍ଶିତ ହୋଇଥିଲା ଫିଲ୍ମ ‘ସମୟ ହାତରେ ଡୋରି’ରେ । ସିଦ୍ଧାନ୍ତ ମହାପାତ୍ର , ଅନୁ ଚୌଧୁରୀଙ୍କ ସହିତ ଶିଶୁ କଳାକାର ସ୍ୱରାଜ ଓ ନିକିତା ମିଶ୍ରଙ୍କୁ ନେଇ ଚିତ୍ରାୟିତ ହୋଇଥିବା ଏକ ଗୀତରେ ଶୁଣିବାକୁ ମିଳିଥିଲା ରାକ୍ଷୀର ଦାସ୍ତାନ୍ । ଢେର ଦିନ ପରେ ଆସିଲା ଫିଲ୍ମ ‘ଫେରିଆ ମୋ ସୁନା ଭଉଣୀ’ । ଫିଲ୍ମରେ ମିହିର ଦାସ, ଅଶ୍ରୁ ମୋଚନ ଓ ଜୀନାଙ୍କ ଅଭିନୟ ଥିଲା ବେଶ ମର୍ମସ୍ପର୍ଶୀ । ହସ-କାନ୍ଦ ଭରା ଏ ପାରିବାରିକ କାହାଣୀରେ, ରାକ୍ଷା ବନ୍ଧନ ସିକ୍ୱେନ୍ସରେ ଥିଲା ଏକ ସୁନ୍ଦର ଗୀତ । ବାପା-ମା’ ଛେଉଣ୍ଡ ଭଉଣୀର ସ୍ନେହ ଓ ସ୍ୱପ୍ନ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିବା ଜଣେ ଭାଇର କାହାଣୀ ଥିଲା, ଫିଲ୍ମ ‘ସୁନା ଚଢଇ ମୋ ରୂପା ଚଢେଇ’ । ଫିଲ୍ମ ‘ଆକାଶେ କି’ରଙ୍ଗ ଲାଗିଲା’ ରେ ଭଉଣୀ ମନର ଦୁଃଖ ଓ ଆଖିରେ ଲୁହ ଦେଖି ପାରୁନଥିବା ଜଣେ ଭାଇର ଭୂମିକାରେ ଥିଲେ ନାୟକ ଅନୁଭବ । ଫିଲ୍ମରେ ଅନୁଭବଙ୍କ ଲାଡଲୀ ଭଉଣୀ ଭୂମିକାରେ ଦେଖିବାକୁ ମିଳିଥିଲା ରାଲି ନନ୍ଦଙ୍କୁ । ଭାଇ ପାଇଁ ଭଉଣୀର ସ୍ନେହଁ ଓ ଅନୁଶାସନ ସହିତ ନିଜ କର୍ତ୍ତବ୍ୟର କାହାଣୀ ଦେଖିବାକୁ ମିଳିଥିଲା ଫିଲ୍ମ ‘ଏସିପି-ସାଗରିକା’ ରେ । ନାୟିକା ଅର୍ଚ୍ଚତାଙ୍କ ସାନ ଭାଇ ଭୂମିକାରେ ଥିଲେ ଅଭିଷେକ ରଥ । କେବଳ କାହାଣୀ କି ଗୀତରେ ନୁହେଁ, ଓଡିଆ ସିନେମା ଜଗତରେ ରାକ୍ଷୀକୁ ଟାଇଟେଲରେ ରଖି ନିର୍ମାଣ ହୋଇଛି ୨ଟି ଫିଲ୍ମ, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ । ଉପସ୍ଥାପନା : ସୁବ୍ରତ ଜେନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.