ଚାଷୀ ନେତା ରାକେଶ ଟିକାୟତ ଏବଂ ଯୋଗେନ୍ଦ୍ର ଯାଦବ ଗିରଫ : ଆହୁରି କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା, କରନାଲରେ ୧୪୪ ଜାରି

Published By : Prameya-News7 Bureau | September 07, 2021 IST

ନୂଆଦିଲ୍ଲୀ ୦୭/୦୯ : କେନ୍ଦ୍ରର ନୂଆ କୃଷି ବିଲକୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଥିବା ଚାଷୀମାନେ ଆଜି ପୁଣି ଥରେ ସକ୍ରିୟ ହୋଇଯାଇଛନ୍ତି । ହରିୟାଣାରେ ଚାଷୀମାନେ ମିନି ସଚିବାଳୟ ଘେରାଉ ପାଇଁ ଉଦ୍ୟତ ହୋଇଛନ୍ତି । ପୂର୍ବରୁ କରନାଲରୁ ହଜାର ହଜାର ସଂଖ୍ୟାରେ ଚାଷୀ ଘେରାଉ ପାଇଁ ବାହାରିଥିଲେ । ସରକାରଙ୍କ ସହ ଆଲୋଚନା ବିଫଳ ହେବାପରେ ଚାଷୀମାନେ ସଚିବାଳୟ ଅଭିମୁଖେ ଅଗ୍ରସର ହୋଇଥିାଲେ ।

ତେବେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ବିଫଳ ହେବାପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା​‌ରେ ଚାଷୀ ନେତା ରାକେଶ ଟିକାୟତ ଏବଂ ଯୋଗେନ୍ଦ୍ର ଯାଦବଙ୍କ ସହ ଚାଷୀ ମୋର୍ଚ୍ଚାର ସମସ୍ତ ନେତାଙ୍କୁ ଗିରଫ କରିନେଇଛି ପୋଲିସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଚାଷୀ ନେତା ଯୋଗେନ୍ଦ୍ର ଯାଦବ ।

ଚାଷୀନେତା ଗିରଫ ହେବା ପରେ ହରିୟାଣାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି । କେବଳ କରନାଲ​‌ରେ ହିଁ ୧୦ ପ୍ଲାଟୁନ୍‌ ପାରାମିଲିଟାରୀ ଫୋର୍ସ ଏବଂ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ମହା ପଞ୍ଚାୟତ ପରେ ଚାଷୀମାନେ ମିନି ସଚିବାଳୟକୁ ଘେରାଇ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏ ନେଇ ସରକାରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଆଲୋଚନାରେ କୌଣସି ନିସ୍କର୍ଷ ବାହାରିପାରିନଥିଲା । ଯାହା ଫଳରେ ଚାଷୀ ମାନେ ମିନି ସେକ୍ରେଟେରିଏଟ୍‌ ଘେରାଉ ପାଇଁ ନିଷ୍ପତ୍ତି ନେଇଥିଲେ ।

ବିଭିନ୍ନ ସ୍ଥାନରେ ଭିଡ ଜମାଇଥିବା ଚାଷୀମାନଙ୍କୁ ପୋଲିସ ସଭାସ୍ଥଳକୁ ଚାଲିଯିବା ପାଇଁ କହିଛି । ଶାନ୍ତିପୂର୍ଣ୍ଣ ଭାବେ ଗଲେ କୌଣସି ସ୍ଥାନରେ ରୋକାଯିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସୁରକ୍ଷା ଦୃଷ୍ଟିରୁ ହରିୟାଣାର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ସହିତ ହରିୟାଣାର ଜିନ୍ଦ, କୈଥଲ୍‌, କୁରୁକ୍ଷେତ୍ର ଏବଂ ମାନିପଥ୍‌ରେ ମଙ୍ଗଳବାର ରାତି ୧୨ ଟା ଯାଏଁ ମୋବାଇଲ ସେବା ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.