ଏବେ ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିଧେୟକକୁ ବିରୋଧ କରିବେ ଟିକାୟତ

Published By : Prameya-News7 Bureau | December 05, 2021 IST

ନୂଆଦିଲ୍ଲୀ ୫।୧୨:  ସରକାର କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି। ବିରୋଧ ଯୋଗୁ କୌଣସି ଆଇନ ଫେରିଯିବା ଭାରତୀୟ ସଂସଦ  ଇତିହାସରେ ପ୍ରଥମ ଘଟଣା। ଏହି ଆଇନ ବିରୋଧରେ ସଫଳ ଆନ୍ଦୋଳନ ପରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ଚୌଧୁରୀ ରାକେଶ ଟିକାୟତ ଏବେ ଦେଶରେ ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରିବେ। ଏ ନେଇ ସେ ସଂକେତ ମଧ୍ୟ ଦେଇଛନ୍ତି।

ମୋଦି ସରକାର ସଂସଦରେ ସୋମବାର ବ୍ୟାଙ୍କ ଘରୋଇକରଣ ବିଧେୟକ ଉପସ୍ଥାପନ କରିବେ। ଟିକାୟତ ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ହଙ୍ଗମା କରୁଛନ୍ତି। ଗତ ଶୁକ୍ରବାର ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭା ସୋମବାର ପର୍ଯ୍ୟନ୍ତ ମୁଲତବୀ ରହିଛି।

ଏଥିରେ କେନ୍ଦ୍ର ସରକାର ସୋମବାର ସଂସଦରେ ବ୍ୟାଙ୍କ ଘରୋଇକରଣ ବିଧେୟକ ଉପସ୍ଥାପନ କରିବାକୁ ଯାଉଥିବା ଜଣାପଡିଛି। ସରକାର ସଂସଦର ଏହି ଅଧିବେଶନରେ ଏପର୍ଯ୍ୟନ୍ତ ଅନେକ ବିଧେୟକ ଉପସ୍ଥାପନ କରିସାରିଲେଣି। ତେବେ ବ୍ୟାଙ୍କ ଘରୋଇକରଣ ବିଧେୟକକୁ ଜୋରଦାର ବିରୋଧ ହେବ ବୋଲି ଆଭାସ ମିଳିଲାଣି।

ସରକାରଙ୍କ ଏହି ଆଇନ ବିରୋଧରେ କୃଷକ ନେତା ଟିକାୟତ କୃଷି ଆଇନ ଭଳି ଦେଶବ୍ୟାପୀ ଆନ୍ଦୋଳନ ଆହ୍ୱାନ ଦେଇଛନ୍ତି। ଏହା ଟିକାୟତଙ୍କ ଆଗାମୀ ପ୍ରସଙ୍ଗ ହେବ ବୋଲି ମଧ୍ୟ ସେ ଟ୍ୱିଟ୍‌ ରେ ସୂଚିତ କରିଛନ୍ତି। ଏଣୁ ବ୍ୟାଙ୍କ ଘରୋଇକରଣ ବିଧେୟକକୁ ନେଇ ମୋଦି ସରକାର ପୁଣି ସଂସଦରେ ଫଶି ପାରନ୍ତି ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.