ଛୋଟ ହେବାକୁ ଦିଆଯିବ ନାହିଁ ଗଣତନ୍ତ୍ର ଦିବସର ପରେଡ୍, ରାଜପଥରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଗଡିବ କୃଷକଙ୍କ ଟ୍ରାକ୍ଟର

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬।୦୧: ଦେଶରେ କୃଷକ ଆନ୍ଦୋଳନକୁ ବିପୁଳ ଜନସମର୍ଥନ ମିଳିବାରେ ଲାଗିଛି। ଗାଜିପୁର, ସିଙ୍ଘୁ ଓ ଟିକରୀ ତିନି ସୀମାରେ ଶନିବାର ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ରବିବାର ଏହି ଧରଣର ଜନସମର୍ଥନ କୃଷକଙ୍କୁ ମିଳିବ ବୋଲି ଆଶା କରାଯାଉଛି। ଏହି ସମୟରେ ଗାଜିପୁର ବର୍ଡରରେ କୃଷକ ନେତା ରାକେଶ ଟିକାୟତ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ, ଜନରାଜ୍ୟ ଦିବସର ପରେଡ୍ ଚଳିତ ବର୍ଷ ମଧ୍ୟ ଛୋଟ ହେବ ନାହିଁ। ରାଷ୍ଟ୍ରପତି ଭବନ ସାମ୍ନାରେ ରାଜପଥରେ ସରକାର ନିଜର ପରେଡ ବାହାର କରିବେ ଏବଂ କୃଷକ ନିଜର ଟ୍ରାକ୍ଟର ପରେଡ୍ ବାହାର କରିବେ।

ଗାଜିପୁର କିଷାନ ଆନ୍ଦୋଳନର ମଞ୍ଚରୁ କୃଷକଙ୍କୁ ସମ୍ବୋଧିତ କରି ରାକେଶ ଟିକାୟତ କହିଛନ୍ତି, ଶୁଣିବାକୁ ମିଳୁଛି ଏଥର ପରେଡ୍ ଛୋଟ କରିବାକୁ ପ୍ରସ୍ତୁତି ଚାଲିଛି। ମାତ୍ର ସେ ସରକାରଙ୍କୁ କହିବାକୁ ଚାହୁଁଛନ୍ତି ଯେ, ଏମିତି କଦାପି ହେବ ନାହିଁ। ଏଥର ମଧ୍ୟ ଗଣତନ୍ତ୍ର ଦିବସର ପରେଡ୍ ରାଷ୍ଟ୍ରପତି ଭବନରୁ ଲାଲକିଲ୍ଲା ପର୍ଯ୍ୟନ୍ତ ବାହାରିବ। ବାସ୍ ଏତିକି କେବଳ ଫରକ୍ ଯେ ରାଜପଥ ପର୍ଯ୍ୟନ୍ତ ସରକାର ପରେଡ୍ କରିବେ ଏବଂ ଏହା ଆଗକୁ କୃଷକଙ୍କ ପରେଡ୍ ହେବ।

ରାକେଶ ଟିକାୟତ କହିଛନ୍ତି, ଯେଉଁ ଭଳି ପୋଲିସର ସନ୍ଧାନୀ କୁକୁର ଦ୍ଵନ୍ଦ୍ଵରେ ପଡି ନିଜ ଚାରି ପଟେ ଘୁରି ବୁଲେ ଠିକ୍ ସେହିଭଳି ସରକାର ମଧ୍ୟ କୃଷକଙ୍କ ଚକ୍କରରେ ପଡି ଆଠ ଘେରାରେ ରହି ଯାଇଛନ୍ତି। ସରକାରଙ୍କୁ ପ୍ରଥମେ ଏହାର ଅନ୍ଦାଜ ନଥିଲା ଯେ ସେ କୃଷି ଆଇନ ଆଣି କାହା ସହ ଖେଳୁଛନ୍ତି। ସରକାର ଏହା  ଜାଣି ରଖନ୍ତୁ ଯେ, କୃଷକ ତାଙ୍କ ସହିତ ଜାନୁଆରୀ ୧୯ରେ ହେବାକୁ ଥିବା ଦଶମ ପର୍ଯ୍ୟାୟ ଆଲୋଚନାରେ ସାମିଲ ହେବ ନାହିଁ। କେବଳ ଏମଏସପି ଓ ନୂତନ କୃଷି ଆଇନ୍‌ର ରଦ୍ଦ ହେବା ଉପରେ ଆଲୋଚନା ହେବ।

କୃଷକଙ୍କ ପରବର୍ତ୍ତୀ ରଣନୀତି ସିଙ୍ଘୁ ବର୍ଡରରୁ ସ୍ଥିର ହେବ। ରାକେଶ ଟିକାୟତ ଶନିବାର ଏହା ସ୍ପଷ୍ଟ କରିଛନ୍ତି ଯେ କୃଷକ ସମିତି ଯାହା କହିବ ସମସ୍ତ କୃଷକ ତାହା ମାନିବେ। ଏବେ କେବଳ ଜାନୁଆରୀ ୨୬ର ପରେଡ୍ ଉପରେ ସବୁ ଧ୍ୟାନ କେନ୍ଦ୍ରିତ ଅଛି। ସେ କହିଛନ୍ତି, କୃଷକ ଏହା ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, ପୋଲିସ ସେମାନଙ୍କୁ ଦିଲ୍ଲୀରେ ପଶିବାକୁ ଦେବେ ନାହିଁ। ମାତ୍ର କୃଷକ ରାଜପଥରେ ପହଞ୍ଚିବାକୁ ଯଥା ସମ୍ଭବ ପ୍ରୟାସ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.