ସରକାରଙ୍କୁ ଚାଷୀ ନେତା ରାକେଶ ଟିକାୟତଙ୍କ ଧମକ : କହିଲେ, ‘ଦାବି ପୂରଣ ନହେଲେ ଲକ୍ଷ୍ନୌକୁ ଦିଲ୍ଲୀରେ ପରିଣତ କରିବୁ’

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬/୦୭ : ପୁଣି ବଡ ଧରଣର ପ୍ରତିବାଦ ପାଇଁ ତୟାର ହେଲେଣି ଚାଷୀ । ପ୍ରତିବାଦ ପାଇଁ  ଭାରତୀୟ ଚାଷୀ ୟୁନିଅନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କେନ୍ଦ୍ର ସରକାରଙ୍କୁ ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ସରକାର ଚାଷୀଙ୍କ ଦାବି ପୂରଣ ନକରନ୍ତି ତେବେ ଲକ୍ଷ୍ନୌକୁ ମଧ୍ୟ ଦିଲ୍ଲୀରେ ପରିଣତ କରାଯିବ । ଟିକାୟତ କହିଛନ୍ତି ଉତ୍ତର ପ୍ରଦେଶ ହେଉଛି ଆନ୍ଦୋଳନର ପ୍ରଦେଶ ।

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ‘ ୪ ବର୍ଷ ହେଲା ଆଖୁର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରାଯାଇନାହିଁ । ବର୍ତ୍ତମାନ ମଧ୍ୟ ୧୨ ହଜାର କୋଟି ଟଙ୍କା ବାକି ରହିଛି । ଯୋଗୀ ସରକାର ଆଖୁରେ ଏକ ଟଙ୍କା ମଧ୍ୟ ବୃଦ୍ଧି କରିନାହାନ୍ତି । ୭/୮ ରାଜ୍ୟରେ ଚାଷୀମାନଙ୍କ ପାଇଁ ବିଜୁଳି ମାଗଣାରେ ଦିଆଯାଉଛି କିନ୍ତୁ ଉତ୍ତର ପ୍ରଦେଶରେ ଚାଷୀଙ୍କୁ ଏପରି ସୁବିଧା ମିଳୁନାହିଁ । ଗୁଜୁରାଟର ସରକାରଙ୍କୁ ପୋଲିସ ଆୟତ କରୁଛି । ସେହିଭଳି ଉତ୍ତର ପ୍ରଦେଶ ମଧ୍ୟ ହେବାକୁ ଯାଉଛି ଯେଉଁଠାରେ ରାଜ୍ୟକୁ ପୋଲିସ ଷ୍ଟେଟ୍‌ କରିବାକୁ ଯୋଜନା ଚାଲିଛି ।’

ସେ ଆହୁରି ମଧ୍ୟ କହିଛନ୍ତି, ସେପ୍ଟେମ୍ବର ୫ରେ ମୁଜଫରନଗରରେ ବଡ ଧରଣର ଚାଷୀ ପଞ୍ଚାୟତ ଆୟୋଜନ କରାଯିବ । ପୁରା ଦେଶକୁ ସରକାର ଆୟତରେ ରଖିଛନ୍ତି । କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ ରାକେଶ ଟିକାୟତ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ୩ କୃଷି ଆଇନ ପ୍ରତ୍ୟାହାର ନହୋଇଛି ସେ ଯାଏଁ ଚାଷୀ ଆନ୍ଦୋଳନ ଜାରି ରହିବ । ଆମେ ଲକ୍ଷ୍ନୌକୁ ମଧ୍ୟ ଦିଲ୍ଲୀରେ ପରିଣତ କରିବୁ । ଲକ୍ଷ୍ନୌକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବାକୁ ଯୋଜନା କରାଯିବ । ଦରକାର ପଡିଲେ ପୁରା ଲକ୍ଷ୍ନୌକୁ ବନ୍ଦ କରାଯିବ । ଆସନ୍ତା ଅଗଷ୍ଟ ୧୪ ତାରିଖରେ ଟ୍ରାକ୍ଟର ପରେଡ୍ ହେବ ବୋଲି କହିଛନ୍ତି ରାକେଶ ଟିକାୟତ ।

ଚାଷୀଙ୍କୁ ସମର୍ଥନ କରି ସଂସଦ ପରିସରକୁ ଟ୍ରାକ୍ଟର ନେଇ ପ୍ରବେଶ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏବେ ସମସ୍ତ ସାଂସଦ ଟ୍ରାକ୍ଟର ନେଇ ସଂସଦ ଭିତରକୁ ପ୍ରବେଶ କରିବା ଉଚିତ । ଜାନୁଆରୀ ୨୬ ତାରିଖରେ ଆମ ଚାଷୀ ମାନେ ୪ ଲକ୍ଷ ଟ୍ରାକ୍ଟର ନେଇ ଯାଉଥିଲେ । ଯେଉଁ ରାସ୍ତାରେ ଯିବାକୁ ଅନୁମତି ମିଳିଥିଲା ସେଠାରେ ପୋଲିସ ବ୍ୟାରିକେଡ କରିଥିଲା । ଚାଷୀ ରାସ୍ତା ଜାଣିନଥିଲେ ସେଥିପାଇଁ ଏପଟ ସେପଟ ହୋଇଥିଲେ । ଧାର୍ମିକ ଧ୍ବଜା ଲଗାଯାଇଥିଲା କିନ୍ତୁ ରାଷ୍ଟ୍ର ଧ୍ବଜ ହଟାଯାଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.