କେନ୍ଦ୍ରକୁ ଧମକ ଦେଲେ ଟିକାୟତ, କହିଲେ ଜଣା ନାହିଁ କୁଆଡ଼େ କୁଆଡ଼େ ବୁଲିବ ଟ୍ରାକ୍ଟର

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ, ୧୨/୦୭: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ନେଇ ଦେଶରେ କୃଷକ ଆନ୍ଦୋଳନ ଜାରି ରହିଛି । ଭାରତୀୟ କୃଷକ ୟୁନିଅନ୍‌ର ନେତା ରାକେଶ ଟିକାୟତ ଏହାକୁ ନେଇ ପୁଣିଥରେ କେନ୍ଦ୍ରକୁ ଧମକ ଦେଇଛନ୍ତି । କେନ୍ଦ୍ରକୁ ଆକ୍ଷେପ କରି ସେ କହିଛନ୍ତି ଯେ, ସେପ୍ଟେମ୍ୱର ମାସରେ କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ ଆହୁରି ଉଗ୍ରରୂପ ନେବ । ୫ ସେପ୍ଟେମ୍ୱରକୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ମହାପଞ୍ଚାୟତ ହେବ ।

ସରକାର ଏହା ପୂର୍ବରୁ ଆଗଷ୍ଟ ମାସରେ ଆମ ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି । ଯଦି ଏଥର ଆଲୋଚନାରେ କୌଣସି ସମାଧାନ ନହୁଏ ତେବେ ମହାପଞ୍ଚାୟତ ପରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ଟିକାୟତ କହିଛନ୍ତି ଯେ, ଏହି ମହାପଞ୍ଚାୟତରେ ହରିୟାଣା, ଉତ୍ତରପ୍ରଦେଶ, ପଞ୍ଜାବରୁ କୃଷକ ସାମିଲ୍‌ ହେବେ ।

ବିଧାନସଭା ନିର୍ବାଚନ ଲଢିବା ନେଇ ରାକେଶ ଟିକାୟତ କହିଛନ୍ତି, ‘ ନିର୍ବାଚନ ଲଢିବା କିଛି ଭୁଲ କଥା ନୁହେଁ । ଯେଉଁମାନେ ଭୋଟ ଦେଉଛନ୍ତି ସେମାନଙ୍କ ନିକଟରେ ନିର୍ବାଚନ ଲଢିବା ପାଇଁ ମଧ୍ୟ ଅଧିକାର ରହିଛି । ଆମେମାନେ ଭୋଟ ଦେଉଛେ । ତେଣୁ ଯେଉଁମାନେ ଭୋଟ ଦେଉଛନ୍ତି ସେମାନେ ନିଜେ ଯଦି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ତେବେ ଏଥିରେ ଭୁଲ କେଉଁଠି ?’

କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ନିର୍ବାଚନ ଲଢିବେ ନାହିଁ ବୋଲି ସଫା ସଫା ମନାକରିଦେଇଛନ୍ତି । ଚାଷୀ ୟୁନିଅନର ଆଗାମୀ ରଣନୀତି କଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଯଦି ସରକାର ଚାଷୀଙ୍କ ଦାବି ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ତଥା ଭିନ୍ନ ଧରଣର ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.