କୃଷି ଆଇନକୁ ନେଇ ବାଇଡେନଙ୍କୁ ଏମିତି ଗୁହାରି କଲେ ଟିକାୟତ, ମୋଦୀଙ୍କୁ ସାକ୍ଷାତ ବେଳେ…

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯:  କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନୂଆ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀରେ ପାଖାପଖି ୧୧ ମାସ ହେଲା ଗର୍ଜୁଛନ୍ତି। ୩ ନୂଆ ନିୟମ ସରକାର ପ୍ରତ୍ୟାହାର କରିନେଲେ ସେମାନେ ଆନ୍ଦୋଳନ ସାମପ୍ତ କରିବେ ବୋଲି ଦାବି କରିଆସିଛନ୍ତି। କିନ୍ତୁ ଏବେ ଯାଏ ଏହାର କୌଣସି ସମାଧାନ ହୋଇପାରି ନାହିଁ ।ଏହାରି ମଧ୍ୟରେ ଚାଷୀ ନେତା ରାକେଶ ଟିକାୟତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରିଥିବା ଗୁହାରି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। 

ଏ​‌ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି । ସେ ଶୁକ୍ରବାର ସେଠାକାର ରାଷ୍ଟ୍ରପତି ବାଇଡେନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଭାରତୀୟ କିଷାନ ୟୁନିୟନ ପ୍ରବକ୍ତା ରାକେଶ ଟିକାୟତ ଟ୍ବିଟ୍‌ ଯୋଗେ ମୋଦୀଙ୍କ ସହ କୃଷକମାନଙ୍କ ପ୍ରସଙ୍ଗ ଉତ୍ଥାପନ କରିବାକୁ ବାଇଡେନଙ୍କୁ  ଗୁହାରି କରିଛନ୍ତି।  

ରାକେଶ ଟିକାୟତ ଟ୍ବିଟରରେ ଲେଖିଛନ୍ତି, ‘ଆମେ ଭାରତୀୟ କୃଷକ ସରକାରଙ୍କ ୩ କୃଷି ଆଇନ୍‌ ବିରୋଧରେ ପ୍ରଦର୍ଶନ କରୁଛୁ। ୧୧ ମାସରେ ୭୦୦ କୃଷକ ଜୀବନ ହରାଇଛନ୍ତି। ଆମକୁ ବଞ୍ଚାଇବା ପାଇଁ ଏହି କଳା ଆଇନ୍‌ ରଦ୍ଦ ହେବା ଦରକାର। ଦୟକରି ମୋଦୀଙ୍କ ସହ ସାକ୍ଷାତ ବେଳେ ଏହି ପ୍ରସଙ୍ଗରେ ଆଲୋଚନା କରିବେ।’

ଅନ୍ୟ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ଟିକାୟତ କହିଛନ୍ତି, ‘ଆମେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଅପିଲ୍‌ କରୁଛୁ ଯେ, ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୫ରେ ସେଠାରେ ଥିବେ। ସମସ୍ତ ଭାରତୀୟ ନିଜ ନିଜ ଗାଡ଼ିରେ ‘ନୋ ଫାର୍ମର, ନୋ ଫୁଡ’ ପତାକା ଲଗାନ୍ତୁ। ଏହା ସହ କୃଷକଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ କରନ୍ତୁ।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.