ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କଲେ ନୀତିଶ କୁମାର, ଏମିତି ପ୍ରତିକ୍ରିୟା ଦେଲେ ବିଜେପି-କଂଗ୍ରେସ

Published By : Prameya-News7 Bureau | September 10, 2020 IST

ଭୁବନେଶ୍ଵର ୧୦।୦୯: ସେପ୍ଟେମ୍ବର ୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ବିଜେପି ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏ ସମ୍ପର୍କରେ ନବୀନଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ନୀତିଶ । ସେପଟେ ବିଜେପି କହିଛି ଏହା ନବୀନଙ୍କ ବ୍ୟକ୍ତିଗତ ବ୍ୟାପାର । ସେପଟେ କଂଗ୍ରେସ ପ୍ରାର୍ଥୀ ଦେବା ପରେ ହିଁ ବିଜେଡିକୁ ସମର୍ଥନ ମାଗିବା କଥା ଚିନ୍ତା କରାଯିବ ବୋଲି କହିଛି ଦଳ ।

ଗଲାଥର ଭଳି ଏଥର ମଧ୍ୟ ନିଜର ଆଭିମୁଖ୍ୟକୁ ରିପିଟ୍ କରିବେ କି ନବୀନ ? ନା’ ଆଉ କିଛି କାର୍ଡ଼ ଖେଳିବେ ? ସେପ୍ଟେମ୍ବର ୧୪ରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେଡି କାହାକୁ ସମର୍ଥନ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଠିକ୍ ଏତିକି ବେଳେ ବିଜେପି ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯେହେତୁ ରାଜ୍ୟସଭାରେ ଏନଡିଏର ସଂଖ୍ୟା ନାହିଁ ସେଥିପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଜିତାଇବାକୁ ଏନଡିଏ ବାହାରେ ଥିବା ଦଳଙ୍କ ସହାୟତା ଦରକାର ପଡ଼ିବ । ଗଲାଥର ଜେଡିୟୁକୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ଦେଇଥିଲେ ନବୀନ । ଏଥର ବିଜେଡି ସଭାପତିଙ୍କ ସମାନ ଆଭିମୁଖ୍ୟ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଆଞ୍ଚଳିକ ଦଳଙ୍କର ବଡ଼ ଭୂମିକା ରହିବ । ଯେହେତୁ ଏନଡିଓ ପ୍ରାର୍ଥୀଙ୍କୁ ଜିତିବାକୁ ୧୨୩ ଭୋଟ ଦରକାର,  ସେଥିପାଇଁ ଏନଡିଏ ବାହାରେ ଥିବା ଦଳଗୁଡ଼ିକର ସମର୍ଥନ ଲୋଡ଼ିବେ ଏନଡିଏ ନେତା । ଏବେ ଏନଡିଏ ପାଖରେ ୧୧୪ ସାଂସଦ ଅଛନ୍ତି । ତେଣୁ ଓାଇଏସଆର୍, ଟିଆରଏସ୍ ଓ ବିଜେଡି ସମର୍ଥନରେ ଏନଡିଏ ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବାକୁ ଯୋଜନା କରିଛି ।

ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଅଛନ୍ତି । ଏମିତିରେ ବିଜେଡିର ସମର୍ଥନ ନର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ଯେହେତୁ  ହରିବଂଶ ଜେଡିୟୁର ତେଣୁ ନବୀନଙ୍କ ସହ କଥାବାର୍ତ୍ତା ପାଇଁ  ବିଜେପି ନୀତିଶଙ୍କୁ ଆଗକୁ ଛାଡ଼ିଥିବା ଚର୍ଚ୍ଚା ହେଉଛି । ଏମିତିରେ ହରିବଂଶଙ୍କୁ ସମର୍ଥନ ନବୀନଙ୍କ ନିଜସ୍ଵ ବ୍ୟାପାର କହି ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି ବିଜେପି ନେତା ।  ସେପଟେ କଂଗ୍ରେସ ମଧ୍ୟ ଏନଡିଏ ବାହାରେ ଥିବା ଦଳମାନଙ୍କ ଉପରେ ନଜର ରଖିଛି । ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ବିଜେଡିର ସମର୍ଥନ ଲୋଡ଼ିପାରେ ।

ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ଉଠିଥିବା ବେଳେ ଶେଷରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା ବିଜେଡି । ହେଲେ ଏଥର ନବୀନ ନୀତିଶଙ୍କ ଅନୁରୋଧ ରକ୍ଷା କରି ଆଭିମୁଖ୍ୟ ରିପିଟ୍ କରିବେ ନା ନୂଆ କିଛି କାର୍ଡ଼ ଖେଳିବେ ତାହା ଉପରେ ରହିଛି ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.