ଗଞ୍ଜାମ ଛତ୍ରପୁର ସବଡିଭିଜନରେ ଜାରି ରହିଛି ରାଜସ୍ୱ ସେବା, ଦୁଇ ହଜାରରୁ ଅଧିକ ଲୋକ ହେଲେଣି ଉପକୃତ

Published By : Prameya-News7 Bureau | June 08, 2021 IST

ଖଲ୍ଲିକୋଟ ୮/୬: କୋଭିଡ କଟକଣା ପାଇଁ ସର୍ବସାଧାରଣମାନଙ୍କୁ ଗଞ୍ଜାମ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ବାରଣ କରାଯାଇଛି । ଏନେଇ ଜିଲାପ୍ରଶାସନ ପକ୍ଷରୁ ଲୋକଙ୍କୁ ନିକଟରେ ରାଜସ୍ୱ ସେବା ଯୋଗାଇବା ପାଇଁ ରାଜସ୍ୱ ରଥ ଆରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ତହସିଲପକ୍ଷରୁ ପ୍ରତ୍ୟେକଙ୍କ ଘର ନିକଟକୁ ପ୍ରଶାସନିକ ଅଧିକାରୀମାନେ ପହଂଚି ସେବା ସେବା ଯୋଗାଇଥାନ୍ତି । ଏନେଇ ଛତ୍ରପୁର ସବଡିଭିଜନରେ ମଧ୍ୟ ଏହି ସେବା ଜାରି ରହିଛି ।

ନିଜେ ଛତ୍ରପୁର ଉପଜିଲାପାଳ, ତହସିଲଦାର, ବିଡିଓ, ରାଜସ୍ୱ ଅଧିକାରୀମାନେ ଘରଘର ପହଚି ଲୋକଙ୍କୁ ଏହି ସେବା ଯୋଗାଉଛନ୍ତି । ଏହି ସେବା ଜରିଆରେ ଲୋକମାନେ ଅତି ସହଜରେ ଘରେ ଥାଇ ପଟ୍ଟା, ବିବିଧ ପ୍ରମାଣପତ୍ର ଆଦି ପାଇଥାନ୍ତି । ଛତ୍ରପୁର ସବଡିଭିଜନରେ ଏଯାବତ ୮୩୦ଟି ମ୍ୟୁଟିସେନ କେଶ ଫୈସଲା , ୩୮୦ଟି କିସନ ପରିବର୍ତ୍ତନ, ୫୯୨ ଟି ଗ୍ରାମକଣ୍ଠ,୧୦୫ ଟି ବେବନ୍ଦୋବସ୍ତ, ଆପୋଷ ବଂଟନ ୩୩ଟି, ବିବିଧ ପ୍ରମାଣପତ୍ର ୩୩୭, ପ୍ରାମାଣିକ ନକଲ ୧୦ ଟି ସମାଧନ ହୋଇଥିବା ସହ ଏପରିକି ଦୁଇ ହଜାରରୁ ଅଧିକ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇପାରିଥିବା ଛତ୍ରପୁର ଉପଜିଲାପାଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

କରୋନା ମହାମାରୀ ସମୟରେ ରାଜସ୍ୱ ସେବା ଜନତାଙ୍କ ଦ୍ୱାରରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କହିଛନ୍ତି । ଲୋକମାନେ ମଧ୍ୟ ଜିଲାପ୍ରଶାସନର ଏହିଭଳି ଅଭିନବ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଏହି ରାଜସ୍ୱସେବା ଗଞ୍ଜାମ ଜିଲାରେ ପ୍ରଥମେ ଆରମ୍ଭ ହେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ଜିଲାରେ ଏହିଭଳି କାର୍ଯ୍ୟକ୍ରମ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଏବେ ସବୁ ଜିଲାରେ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.