ରାଜପାଲ ଯାଦବଙ୍କୁ ୩ ମାସ ଜେଲ

Published By : Prameya-News7 Bureau | November 30, 2018 IST

ମୁମ୍ବାଇ ୩୦/୧୧ : ଚେକ ବାଉନ୍ସ ମାମଲାରେ ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୩ ମାସ ସଜା ହୋଇଛି | ଦିଲ୍ଲୀ ହାଇକୋର୍ଟ ରାଜପାଳଙ୍କୁ ୩ ମାସ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି | ଟ୍ରାଏଲ କୋର୍ଟ ସହିତ ବୁଝାମଣା କରି ଜୋରିମାନା ଦେବାକୁ ସକ୍ଷମ ହୋଇନଥିଲା ରାଜପାଲ | ସେଥିପାଇଁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୩ ମାସ ସଜା ଶୁଣାଇଛନ୍ତି | ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ରାଜପାଲ ଯାଦବ ୫ କୋଟି ଋଣ ନେଇଥିଲେ | କିନ୍ତୁ ସେ ଋଣ ପରିଶୋଧ କରି ପାରିନଥିଲେ | ଋଣ ସୁଝି ନପାରିବାରୁ ଯାହାଙ୍କ ଠାରୁ ଋଣ ନେଇଥିଲେ ସେହି ବ୍ୟକ୍ତି କୋର୍ଟର ଆଶ୍ରୟ ନେଇଥିଲେ | ତେବେ କୋର୍ଟରେ ଏହି ବର୍ଷ ବୁଝାମଣା ହୋଇଥିଲା ଯେ, ରାଜପାଳ ୧୦ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରିବେ | କିନ୍ତୁ ଏହି ଋଣ ରାଜପାଲ ସୁଝିନପାରିବାରୁ କୋର୍ଟ ରାଜପାଳଙ୍କୁ ଜେଲକୁ ପଠାଇଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଇନ୍ଦୋରର ସୁରେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ରାଜପାଲ କିଛି ଟଙ୍କା କରଜ କରିଥିଲେ | ଏହି କରଜ ଶୁଝିବା ପାଇଁ ରାଜପାଳ ମୁମ୍ବାଇ ଆକ୍ସିସ ବ୍ୟାଙ୍କର ଏକ ଚେକ ସେହି ବ୍ୟକ୍ତିଙ୍କୁ ଦେଇଥିଲେ | ୨୦୧୫ ମସିହା ସେପ୍ଟେମ୍ବର ମାସରେ ଏହି ଚେକ ବ୍ୟାଙ୍କରେ ଜମା କରିବାରୁ ଚେକଟି ବାଉନ୍ସ ହୋଇଯାଇଥିଲା | ଏହାପରେ ସୁରେନ୍ଦ୍ର ସିଂ ଜଣେ ଓକିଲଙ୍କ ମାଧ୍ୟମରେ ରାଜପାଲଙ୍କୁ ନୋଟିସ ପଠେଇଥିଲେ | ତଥାପି ରାଜପାଲ କରଜ ସୁଝିନଥିଲେ | ଫଳରେ ରାଜପାଲଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.