ଚୀନ୍ ସହ ସୀମାରେ ଉତ୍ତେଜନା, ତଥାପି ସଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବେ ରାଜନାଥ : ଆଜି ଯିବେ ରୁଷ୍

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨/୦୯: ଆଜି ରୁଷ୍‌ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସଂଘାଇ ସହଯୋଗ ସଂଗଠନ (ଏସସିଓ)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେବା ପାଇଁ ଆଜି ରୁଷ ଅଭିମୁଖେ ଯାତ୍ରା କରିବେ ପ୍ରତିରକ୍ଷା ମନ୍ତ୍ରୀ ।  ବୈଠକରେ କ୍ଷେତ୍ରୀୟ ସୁରକ୍ଷା ପରିଦୃଶ୍ୟ ଉପରେ ବିଚାର ବିମର୍ଶ ହୋଇପାରେ। ଏସସିଓର ଦୁଇ ପ୍ରମୁଖ ସଦସ୍ୟ ଭାରତ ଓ ଚୀନ ମଧ୍ୟରେ ଗତିରୋଧ ଥିବା ସମୟରେ ଏହି ବୈଠକ ହେଉଛି।

ସେପଟେମ୍ବର ୪ରେ ହେବାକୁ ଥିବା ଏସସିଓରେ ରକ୍ଷା ମନ୍ତ୍ରୀ ବୈଠକରେ ଭାଗ ନେବା ବ୍ୟତୀତ ରୁଷ ରକ୍ଷା ମନ୍ତ୍ରୀ ସଗୋଇ ଶୋଇଗୁ ଓ ଅନ୍ୟ ଶୀର୍ଷ ସୈନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଯାହାର ଉଦ୍ଦେଶ୍ୟ କେତେକ ପ୍ରତିରକ୍ଷା କାର୍ଯ୍ୟକ୍ରମରେ ଉନ୍ନତି ଆଣିବା । ତେବେ ରାଜନାଥ ସିଂହ ଜୁନ୍ ପରେ ଏହା ହେବ ଦ୍ବିତୀୟ ରୁଷ୍‌ ଯାତ୍ରା । ସେ ଚଳିତବର୍ଷ ଜୁନ୍ ୨୪ରେ ମସ୍କୋର ବିଜୟ ଦିବସ ପରେଡ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଚୀନର ରକ୍ଷା ମନ୍ତ୍ରୀ ଜେନେରାଲ ବେଇ ଫେଘେ ଏସସିଓ ବୈଠକରେ ସାମିଲ ହେବା ଆଶା କରାଯାଉଛି । ଅବଶ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏ ଯାତ୍ରା ରୁଷରେ ବହୁପକ୍ଷୀୟ ଯୁଦ୍ଧ ଅଭ୍ୟାସରେ ଭାଗ ନେବା ଦ୍ବାରା ଭାରତ ପଛକୁ ହଟିବାର କିଛି ଦିନ ପରେ ହୋଇଛି। ଏଥିରେ ଚୀନ ଓ ପାକିସ୍ତାନୀ ସୈନିକ ମାନେ ମଧ୍ୟ ସାମିଲ ହେବା ସମ୍ଭାବନା ଅଛି। ତେବେ ରାଜନାଥ ଓ ବେଇଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହେବାର ସମ୍ଭାବନା ନାହିଁ। ରୁଷ ସେପଟେମ୍ବର ୧୦ରେ ହେବାକୁ ଥିବା ଏସସିଓ ବୈଠକରେ ଭାଗ ନେବା ପାଇଁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ। ତେବେ ରାଜନାଥ ସିଂହ ସେପଟେମ୍ବର ୫ରେ ଭାରତ ଅଭିମୁଖେ ଯାତ୍ରା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.