ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ, ଫ୍ରାନ୍ସରେ ଶସ୍ତ୍ର ପୂଜା କରିବେ ରାଜନାଥ : ଜାଣନ୍ତୁ କ'ଣ ରହିଛି ଏହାର ବିଶେଷତ୍ବ

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ ୮।୧୦: ଆଜି ବିଜୟା ଦଶମୀରେ ଭାରତୀୟ ବାୟୁସେନାରେ ସାମିଲ ହେବ ପ୍ରଥମ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ବାୟୁ ସେନା ପ୍ରତିଷ୍ଠା ଦିବସ ଏବଂ ଦଶହରା ଅବସରେ ଏହା ଭାରତୀୟ ସେନାରେ ସାମିଲ ହେବ ।

ରାଫେଲ ହସ୍ତାନ୍ତର ଉତ୍ସବ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନସରେ ଶସ୍ତ୍ର ପୂଜା କରିବେ । ଏଥିପାଇଁ ଦକ୍ଷିଣ ଫ୍ରାନସର ବୋରଡ୍ୟୁକ୍ସ ସହରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଥମ ରାଫେଲ ଗ୍ରହଣ କରିବା ସହ ରାଜନାଥ ସିଂ ଦୁଇ ସିଟ୍ ବିଶିଷ୍ଟ ରାଫେଲ ଯୁଦ୍ଧ ବିମାନରେ ଉଡାଣ ଭରିବେ । ଏହାସହ ପ୍ରତିରକ୍ଷା ମନ୍ତ୍ରୀ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ ନେଇ ମଧ୍ୟ ଆଲୋଚନା କରିବେ ।

ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ୩୬ଟି ରାଫେଲ କିଣିବା ନେଇ ୬୧ହଜାର ୯ଶହ କୋଟି ଟଙ୍କାର ଚୁକ୍ତି ହୋଇଛି । ଭାରତୀୟ ବାୟୁସେନା ଲାଗି ରାଫେଲ ବିମାନ ଗେମ୍ ଚେଞ୍ଜର ହେବ ବୋଲି ବାୟୁସେନା ମୁଖ୍ୟ କହିସାରିଛନ୍ତି । କୁହାଯାଉଛି କି ଫ୍ରାନ୍ସ ସହ ରାଫେଲ ଡିଲରେ ପ୍ରମୁଖ ଭୂମିକା ନେଇଥିଲେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଏବେ ତାଙ୍କରି ଅଧିନରେ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ।

ସେପଟେ ୨୦୨୦ ସୁଦ୍ଧା ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ରାଫେଲର କ୍ଷମଲା ଉପରେ :

ଦୁଇ ଇଞ୍ଜିନ ବିଶିଷ୍ଟ ରାଫେଲ ଲଢୁଆ ବିମାନକୁ ଫ୍ରାନସର ଦସାଲ୍ଟ କମ୍ପାନୀ ନିର୍ମାଣ କରିଛି । ଏଥିରେ ଦୁଇ ପ୍ରକାର ମିସାଇଲ ଖଞ୍ଜାଯାଇଛି ଯାହା ଶତ୍ରୁ ପକ୍ଷର ଟାର୍ଗେଟକୁ ଧ୍ବସ୍ତ କରିଦେବ । ଏଥିପାଇଁ ରାଫେଲକୁ ଗେମ୍ ଚେଞ୍ଜର କୁହାଯାଉଛି  । ମିଶାଇଲ ସଂଯୁକ୍ତ ରାଫେଲ ଭାରତୀୟ ବାୟୁସେନାର ଶକ୍ତି ବଢାଇବ , ଆକାଶରେ ଯୁଦ୍ଧ କରିବାର କ୍ଷମତାକୁ ବହୁଗୁଣ କରିବ । ରାଫେଲରେ ଲାଗିଥିବା ମିଟିଆର ମିସାଇଲ୍ ବିଶ୍ବର ସବୁଠୁ ଘାତକ ଅସ୍ତ୍ର ।

ରାଫେଲ ଏମିତି ଏକ ଲଢୁଆ ବିମାନ ଯାହାକୁ ସବୁ ପ୍ରକାର ମିଶନରେ ସାମିଲ କରାଯାଇପାରିବ । ଏହା ଗୋଟିଏ ମିନିଟରେ ୬୦ହଜାର ଫୁଟ ଉଚ୍ଚକୁ ଉଠି ଯାଇପାରିବ । ଏହାର ଇନ୍ଧନ କ୍ଷମତା ୧୭ହଜାର କିଲୋଗ୍ରାମ । ପ୍ରତିକୂଳ ପରିବେଶରେ ମଧ୍ୟ ରାଫେଲ କାମ କରିବାକୁ ସକ୍ଷମ । ଏଥିରେ ଲାଗିଥିବା ସ୍କାଲ୍ପ ମିସାଇଲ୍ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍ କରିବାକୁ ସକ୍ଷମ । ଏହାର ବେଗ ଘଣ୍ଟାପ୍ରତି ୨ହଜାର କିଲୋମିଟରୁ ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.