ପାକିସ୍ତାନକୁ ଟାର୍ଗେଟ କଲେ ରାଜନାଥ: କହିଲେ- ‘ଭାରତରେ ପୁଣି ୨୬/୧୧ ଭଳି ଘଟଣା ହେବା ଅସମ୍ଭବ’
26/11/2020 at 8:50 PM

ନୂଆଦିଲ୍ଲୀ ୨୬/୧୧: ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ପୂର୍ତ୍ତି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ୧୨ ବର୍ଷର ସମୟ ଖୁବ ଲମ୍ବା ସମୟ କିନ୍ତୁ ୨୬/୧୧ ଭଳି ଘଟଣାକୁ କୌଣସି ସ୍ବାଭିମାନୀ ଦେଶ କେବେ ଭୁଲିପାରିବ ନାହିଁ। ସେହି ଦିନ ଆତଙ୍କବାଦୀ ଆମ ଦେଶର ଅଖଣ୍ଡତାକୁ ଆହ୍ବାନ କରିଥିଲେ କିନ୍ତୁ ଗର୍ବର କଥା ଆମ ସୁରକ୍ଷା ବଳ ଜଣେ ଆତଙ୍କବାଦୀକୁ ବି ଜୀବନ ଫେରାଇ ଯିବାକୁ ମଉକା ଦେଇ ନଥିଲେ ବୋଲି କହିଛନ୍ତି ରାଜନାଥ।
ଦେଶର ସୁରକ୍ଷା ଏବେ ଏତେ ଶକ୍ତିଶାଳୀ ହୋଇଛି ଯେ ୨୬/୧୧ ଭଳି ଘଟଣା ପୁଣି ଥରେ ଘଟିବା ଅସମ୍ଭବ। ନିକଟରେ ସୀମା ଦେଇ ଏକ ଆତଙ୍କବାଦୀ ଦଳ ଦେଶ ଭିତରକୁ ପଶି ୨୬/୧୧ ଭଳି ଘଟଣା ଦୋହରାଇବାକୁ ଚେଷ୍ଟା ଚଳାଇଥିଲେ। କିନ୍ତୁ ସେମାନଙ୍କୁ ସେନା, ପୋଲିସ୍ ଓ ସୁରକ୍ଷବଳ ମିଳିତ ଭାବେ ଭଣ୍ଡୁର କରିଥିଲେ । ଆତଙ୍କବାଦୀଙ୍କୁ ମାରି ପାକିସ୍ତାନର ଆଉ ଏକ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ବିଫଳ କରିଥିବା ରାଜନାଥ ସିଂହ କହିଛନ୍ତି।
ଦେଶ ସ୍ବାଧୀନ ହେବା ପରଠାରୁ ସୀମା ଦେଇ ଆତଙ୍କବାଦୀ ପଶିବାକୁ ଚେଷ୍ଟା କରିଆସୁଛନ୍ତି। ବିଭିନ୍ନ ସମୟରେ ଦେଶ ଭିତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆତଙ୍କବାଦୀ। କିନ୍ତୁ ୬ ବର୍ଷରେ ଭାରତରେ ନୂଆ ପରିବର୍ତ୍ତନ ଆସିଛି। ଏବେ ଭାରତ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଉଛି। ପୂର୍ବରୁ କଣ ହେଉଥିଲା ? ଆତଙ୍କବାଦୀ ଆକ୍ରମଣ ହେଉଥିଲା, ସେନା ଓ ସୁରକ୍ଷାବଳ ପାଲଟା ଆକ୍ରମଣ କରୁଥିଲେ। ଏଥିପାଇଁ ଲୋକେ ପ୍ରମାଣ ମାଗୁଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ଏବେ ଭାରତ ଆତଙ୍କବାଦୀଙ୍କ ବିରୋଧରେ ୩୬୦ ଡିଗ୍ରିରେ ରେଜପନ୍ସ ଆକ୍ସନ କରୁଛି। ଏବେ ଭାରତ ସୀମାରେ ଏବଂ ଦରକାର ପଡ଼ିଲେ ସୀମା ପାର କରି ପ୍ରତିଶୋଧ ନେଉଛି। ପାକିସ୍ତାନର ଭାରତ ବିରୋଧରେ ଆତଙ୍କବାଦ ମଡେଲ୍ ଧିରେ ଧିରେ ଧ୍ବସ୍ତ ହେବାକୁ ବସିଲାଣି। ଏନେଇ ପାକିସ୍ତାନ ଏତେ ବ୍ୟଥିତ ଯେ ସୀମାରେ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି। ଭାରତରେ ମହଜୁଦ ସବୁ ପ୍ରକାର ଟେରର ଇନ୍ଫ୍ରାଷ୍ଟ୍ରକ୍ଚର ନଷ୍ଟ ହେବାରେ ଲାଗିଛି। ଏବେ ଆତଙ୍କବାଦକୁ ମିଳୁଥିବା ଆର୍ଥିକ ନେଟଓ୍ବାର୍କ ଉପରେ ପ୍ରହାର କରିବାର ସମୟ ଆସିଛି ବୋଲି ରାଜନାଥ କହିଛନ୍ତି।
ଭାରତ ବିଶ୍ବରେ ଏମତି କୂଟନୈତିକ ଚାପ ତିଆରି କରିଛି ଯାହା ଦ୍ବାରା ପାକିସ୍ତାନର ଆତଙ୍କବାଦ ନର୍ସରି ରୂପରେ ଫଳ ଶୂନ୍ୟ ହେବାରେ ଲାଗିଛି। ଭାରତର ପ୍ରଧାନମନ୍ତ୍ରୀ ବିଶ୍ବ ସ୍ତରରେ ଆତଙ୍କବାଦ ବିରୋଧରେ ଯେଉଁ ସହମତି ହାସଲ କରିଛନ୍ତି ତାହା ପାଇ ପାକିସ୍ତାନ ମୁଣ୍ଡ ଉପରେ ଏବେ ଏଫଏଟିଏଫ୍ ଖଣ୍ଡା ଝୁଲିଛି। ଏହା ସହ ଚୀନ ସହ ଚାଲିଥିବା ସୀମା ବିବାଦ ଉପରେ ପ୍ରତିକ୍ରିୟା ଦେଇ ରାଜନାଥ କହିଛନ୍ତି, ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଆଲୋଚନା ଓ ଶାନ୍ତିପୂର୍ଣ୍ଣ ଉପାୟରେ ହେଉ ବୋଲି ଆମେ ଚାହୁଁଛୁ। କିନ୍ତୁ ଭାରତର ସୀମା, ସମ୍ମାନ, ସ୍ବାଭିମାନ ସହ କୌଣସି ପ୍ରକାର ବୁଝାମୁଣା କରିଯବିନି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।