ପାକିସ୍ତାନ ଉପରେ ରାଜନାଥ ସିଂହଙ୍କ ହମଲା: 'ପିଓକେ ଆମର ଥିଲା, ଅଛି ଓ ଆଗକୁ ବି ରହିବ'

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫/୧୧ : ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ଣ୍ଣିୟାର ଧମଦାହାର ଜେଡିୟୁ ପ୍ରାର୍ଥୀ ଲେସି ସିଂହଙ୍କ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାଜନାଥ ସିଂହ ପାକିସ୍ତାନ ଉପରେ ବର୍ଷିଥିଲେ। ସେ କହିଛନ୍ତି ଯେ ପାକିସ୍ତାନ ଏହା ଭଲ ଭାବେ ଜାଣିରଖିବା ଉଚିତ ଯେ ପିଓକେ ଭାରତର ଥିଲା ଏବଂ ଆଜି ମଧ୍ୟ ଆମେ ପିଓକେକୁ ଭାରତର ଅଂଶ ବୋଲି ମାନୁଛୁ ଓ ପିଓକେ ଭାରତର ଅଂଶ ହିଁ ରହିବ।

ରାଜନାଥ ସିଂହ କହିଛନ୍ତି ଯେ, ପାକିସ୍ତାନ ସଂସଦରେ ମଧ୍ୟ ଏ ସମ୍ବନ୍ଧରେ ଆଲୋଚନା ହୋଇସାରିଛି ଯେ ପାକିସ୍ତାନରେ ଭାରତକୁ ନେଇ କିଭଳି ଭୟ ପରିସ୍ଥିତି ଥିଲା ଯେତେବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସେମାନେ କାବୁ କରିନେଇଥିଲେ। ସେ ପୁଣିଥରେ ପାକିସ୍ତାନ ସଂସଦରେ ଦେଇଥିବା ବୟାନକୁ ଦୋହରାଇଥିଲେ ଯେଉଁଥିରେ ପାକିସ୍ତାନର ଜଣେ ସାଂସଦ କହିଥିଲେ ଯେ ଯଦି ସେମାନେ ଅଭିନନ୍ଦନଙ୍କୁ ମୁକ୍ତ ନ କରନ୍ତି ତାହେଲେ ଭାରତ ୯ଟା ରେ ପାକିସ୍ତାନ ଉପରେ ହମଲା କରିବ।

{"id":356551,"sizeSlug":"large"}

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ପୂର୍ଵ ଲଦାଖରେ ଚୀନ ସହ ଚାଲିଥିବା ଗତିରୋଧ ଓ ସୀମା ବିବାଦ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶର ସେନା ଯେଉଁଭଳି ସୌର୍ଯ୍ୟ ଏବଂ ପରାକ୍ରମର ପରିଚୟ ଦେଇଛି ସେଥିରୁ ଚୀନ ସେନା ମଧ୍ୟ ଭୟଭୀତ ଅଛି। ଏହି ସମୟରେ ସୀମାରେ ଆମର ବହାଦୁର ଯବାନ ଶତ୍ରୁଙ୍କୁ ପଛକୁ ଧକ୍କା ଦେଉଛନ୍ତି। ଏହିଭଳି ସମୟରେ ଆମକୁ ଏକଜୁଟ ହୋଇ ସେନାକୁ ସମର୍ଥନ କରିବ ଉଚିତ। କିନ୍ତୁ କିଛି ନେତା ଲଗାତାର ଭାରତୀୟ ସେନା ଓ ବହାଦୁର ଯବାନଙ୍କ ସୌର୍ଯ୍ୟର ତାମସା କରିଦେଉଛନ୍ତି।

ସେ କହିଛନ୍ତି ଯେ, ସ୍ୱାଭିମାନ ରାଜନୀତି ହେବା ଉଚିତ। ଜନତାଙ୍କ ଆଖିରେ ଧୂଳି ଦେବା ଭଳି ରାଜନୀତି କରିବା ଉଚିତ ନୁହେଁ। ବର୍ତ୍ତମାନ ସମୟ ଆସିଛି ଆଖିରେ ଆଖି ମିଶାଇ ରାଜନୀତି କରିବା ଉଚିତ। ଭାରତ କିଛି ଦିନ ହେଲା ନିଜର ଯେଉଁ ପରିଚୟ ସୃଷ୍ଟି କରିଛି ସେଥିରୁ ସାରା ଦୁନିଆକୁ ଭାରତର ଶକ୍ତିର ପ୍ରମାଣ ମିଳିଛି। କିନ୍ତୁ ରାହୁଲ ଗାନ୍ଧୀ ଏହାକୁ କେବେ ବି ସ୍ୱୀକାର କରିବେନି। ରାହୁଲଙ୍କ ପାଖରେ କୌଣସି ଜବାବ ବି ନାହିଁ ବୋଲି କହିଥିଲେ ରାଜନାଥ ସିଂହ। ଶେଷରେ ସେ ପୁଣି ଦୋହରାଇଥିଲେ ଯେ ଭାରତର ଇଞ୍ଚେ ଜମି ବି କେହି କବଜା କରିପାରିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.