ସଂଘୀୟ ବ୍ୟବସ୍ଥାକୁ ହତ୍ୟା କରିଛି ପଶ୍ଚିମବଙ୍ଗ-କେନ୍ଦ୍ର ଗୃହମନ୍ତ୍ରୀ

Published By : Prameya-News7 Bureau | February 04, 2019 IST

ନୂଆଦିଲ୍ଲୀ ୪|୨: ପଶ୍ଚିମବଙ୍ଗରେ ସିବିଆଇ-ପୋଲିସ ବିବାଦ ପ୍ରସଙ୍ଗରେ ସଂସଦରେ ଝଡ । ଲୋକସଭାରେ ଟିଏମସି ସଦସ୍ୟଙ୍କ ହଟ୍ଟଗୋଳ ହୋଇଛି । ଟିଏମସି ସହିତ କଂଗ୍ରେସ ଓ ଅନ୍ୟ ଗିରୋଧୀ ଦଳ ମଧ୍ୟ ଘେରିଛନ୍ତି । ଗୃହରେ ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସିବିଆଇର ତଦନ୍ତ ଉପରେ ବାଧା ପହଞ୍ଚାଯାଉଛି । ସିବିଆଇ ଅଫିସରଙ୍କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ । ଦେଶର ଇତିହାସରେ ଏଭଳି ଘଟଣା ପ୍ରଥମ । ସଂଘୀୟ ବ୍ୟବସ୍ଥାରେ ବାଧା ଆଣିଛନ୍ତି ପଶ୍ଚିମବଙ୍ଗ ସରକାର । ରାଜ୍ୟପାଳଙ୍କୁ ଏ ସଂପର୍କରେ ରିପୋର୍ଟ ମାଗିଥିବା କରିଛନ୍ତି ରାଜନାଥ । ସଂସଦରେ ଏ ପ୍ରସଙ୍ଗରେ ହଟ୍ଟଗୋଳ ପରେ ଗୃହକୁ ୨ଟା ଯାଏଁ ମୁଲତବା ରଖାଯାଇଛି ।

ରୋଜ୍ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍ ମାମଲା ନେଇ ସିବିଆଇ ଓ କୋଲକାତା ପୋଲିସ ମୁହାଁମୁହିଁ ହୋଇଥିଲେ । କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଟିମ୍ ପଚରାଉଚରା କରିବାକୁ ଯିବାକୁ ନେଇ କୋଲକାତାରୁ ଆରମ୍ଭ କରି ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇର ୫ ଜଣ ଅଧିକାରୀଙ୍କୁ ଅଟକ ରଖିଥିଲା କୋଲକାତା ପୋଲିସ। ତେବେ ପରେ ପୋଲିସ ସେମାନଙ୍କୁ ଛାଡିଦେଇଛି । କୋଲକାତା ପୋଲିସ କମିଶନରଙ୍କ ଉପରେ ସିବିଆଇ ରେଡ୍ କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଖାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍  କରିଛନ୍ତି । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଏବଂ ଦେଶର ସମ୍ବିଧାନ ତଥା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ମମତା ବାନାର୍ଜୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଇଶାରାରେ ସିବିଆଇ କାମ କରୁଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଗଣତନ୍ତ୍ର ବଞ୍ଚାଅ ନାରା ଦେଇ  ସତ୍ୟାଗ୍ରହରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। କେନ୍ଦ୍ରସରକାରଙ୍କ ବିରୋଧରେ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି ମମତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.