ଭାରତ-ଆମେରିକା ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ସଫଳ, ରାଜନାଥ କହିଲେ ମଜଭୁତ ହେବ ସାମରିକ ସମ୍ପର୍କ

Published By : Prameya-News7 Bureau | October 26, 2020 IST

ନୂଆଦିଲ୍ଲୀ ୨୬।୧୦: ସାମରିକ ପ୍ରସଙ୍ଗରେ ଅନୁଷ୍ଠିତ ଭାରତ-ଆମେରିକା  ବୈଠକ ସଫଳ ହୋଇଛି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଦୁଇ ବୃହତ୍ତ ଗଣତନ୍ତ୍ରଙ୍କ ପ୍ରତିରକ୍ଷା ସମ୍ପର୍କ ମଜଭୁତ କରିବା ଏହି ବୈଠକର ଅସଲ ଉଦ୍ଦେଶ୍ୟ ବୋଲି ସୋମବାର  ସନ୍ଧ୍ୟାରେ ରାଜନାଥ କହିଛନ୍ତି। ମଙ୍ଗଳବାର ଟୁ ପ୍ଲସ୍ ଟୁ ବୈଠକ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ରାଜନାଥ ସମକକ୍ଷ ଆମେରିକୀୟ ପ୍ରତିନିଧି ମାର୍କ ଟି.ଏସ୍ପରଙ୍କ ସହ ସେ ବିସ୍ତୃତ ଆଲୋଚନା କରିଛନ୍ତି।

ଏଥିରେ ରାଜାନାଥ ପ୍ରତିରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଏସ୍ପରଙ୍କ ସହ ଆଲୋଚନା କରିଥିଲେ। ସାଉଥ୍ ବ୍ଲକ୍‌ରେ ଅନୁଷ୍ଠିତ ଏହି ଦ୍ୱିପାକ୍ଷୀକ ବୈଠକରେ ସାମରିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବା ବେଳେ ମଙ୍ଗଳବାର ହେବାକୁ ଥିବା ଟୁ ପ୍ଲସ୍ ଟୁ ବୈଠକ ମଧ୍ୟ ସଫଳ ହେବ ବୋଲି ରାଜନାଥ ଆଶାବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପମ୍ପେୟୋ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଟି.ଏସ୍ପର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଙ୍କଶଙ୍କର ଓ ରାଜନାଥଙ୍କ ସହ ସାମଗ୍ରିକ ଆଲୋଚନା କରିବେ।

ଆଗାମୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିୟ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଯେପରି ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ର ପ୍ରଭାବ ବିସ୍ତାର, ପୂର୍ବ ଲଦ୍ଦାଖ ସୀମାରେ ଆକ୍ରମକ ବ୍ୟବହାର ଆଦି ନେଇ ମଧ୍ୟ ଆଲୋଚନା ହେବ। ବୈଠକରେ ଦୁଇ ଦେଶଙ୍କ ରଣନୈତିକ ଭାଗିଦାରୀ ମଜଭୁତ କରିବା ଲାଗି ୪ଟି ସାମରିକ ସଂଞ୍ଚାର ଭିତ୍ତିଭୂମି ଲାଗି ବୁଝାମଣା ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଭୌଗଳିକ ଗୁଇନ୍ଦା ସମ୍ପର୍କିତ, ପ୍ରତିରକ୍ଷା ଲାଗି ଉପଗ୍ରହ ଚିତ୍ର ଆଦାନପ୍ରଦାନ ସମ୍ପର୍କିତ ହେବ ବୋଲି ଅନୁମାନ କରାଯାଉଛି।

ଏହା ଛଡା ଦୁଇ ଦେଶଙ୍କ ସମୁଦ୍ର ସୂଚନା ଆଦାନପ୍ରଦାନ ନେଇ ମଧ୍ୟ ବୁଝାମଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ଭାରତ ଓ ଆମେରିକା ମଧ୍ୟରେ ଏହା ତୃତୀୟ ଟୁ ପ୍ଲସ୍ ଟୁ ବୈଠକ। ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୮ରେ ପ୍ରଥମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବୈଠକ ୨୦୧୯ରେ ୱାସିଂଟନ ଡିସିଠାରେ ଅନୁଷ୍ଠିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.