ଦିନ ଆସିବ ଯେତେବେଳେ POKର ଲୋକେ ନିଜକୁ ଭାରତୀୟ ଦାବି କରିବେ: ରାଜନାଥ

Published By : Prameya-News7 Bureau | June 14, 2020 IST

ନୂଆଦିଲ୍ଲୀ ୧୪।୬:  ଚୀନ ଓ ନେପାଳ ସହ ସୀମା ବିବାଦକୁ ନେଇ ଉପୁଜିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରବିବାର ଏକ ବଡ ବୟାନ ଦେଇଛନ୍ତି। କହିଛନ୍ତି  ଦେଖିବେ ଦିନ ଆସିବ ଯେତେବେଳେ ପାକ୍ ଅଧିକୃତ କାଶ୍ମୀରର ଲୋକେ ନିଜକୁ ଭାରତୀୟ ଦାବି କରିବେ। ଏହା ଆଉ ବେଶି ଦିନର କଥା ନୁହେଁ ବୋଲି ଭିଡିଓ କନଫରେନସିଂରେ ଜମ୍ମୁ ଜନ ସମ୍ବାଦ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି।

ସେ କହିଛନ୍ତି ଯେ ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ସେଠାକାର ପରିସ୍ଥିତିରୁ ଦ୍ରୁତ ପରିବର୍ତ୍ତନ ଆସିଛି। ଆଗାମୀ  ୫ ବର୍ଷରେ ଆମେ ସେଠାକାର ଚିତ୍ର ବଦଳାଇଦେବୁ। ସେତେବେଳେ ପିଓକେ ଭାରତର ଅଂଶ ବୋଲି ଦାବି ହେବାରେ ଲାଗିବ। ସେଠାକାର ବାସିନ୍ଦା ହିଁ କହିବେ ଆମେ ପାକିସ୍ତାନ ନୁହେଁ ଭାରତର ନାଗରିକ। ଏବେ କେବଳ ସେହି ଦିନକୁ ଅପେକ୍ଷା ଯେଉଁ ଦିନ ଏହି ଦାବି ଉଠିବ ସେଦିନ ବିଜେପିର ସଂକଳ୍ପ ପୁରା ହେବ ବୋଲି କହିଛନ୍ତି ରାଜନାଥ ।

ଜନସମ୍ବାଦ ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ଦେଶର ରକ୍ଷାନୀତିରେ ହୋଇଥିବା ପରିବର୍ତ୍ତନର ମଧ୍ୟ ସୂଚନା ଦେଇଥିଲେ। କହିଥିଲେ ଯେ ପରିବର୍ତ୍ତିତ ନୀତିର ପ୍ରଭାବ ସୀମାପାର ପାକିସ୍ତାନ ଉପରେ ପଡିବାରେ ଲାଗିଲାଣି। ଏଣୁ ସୀମାରେ ପାକିସ୍ତାନୀ ସେନା ବଦମାଶୀ କରୁଥିବା ବେଳେ ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଉଛନ୍ତି। ଏହି ଅବସରରେ ରାଜନାଥ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ସରପଞ୍ଚ ଅଜିତ ପଣ୍ଡିତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ୧୯୪୭ମସିହାରେ କାଶ୍ମୀର ଉପତ୍ୟାକାରେ ପ୍ରଥମ ଜାତୀୟ ପକାତା ଉତ୍ତୋଳନ କରିଥିବା ମହମ୍ମଦ ମକବୁଲ ଶେରୱାନୀଙ୍କୁ ମଧ୍ୟ ରାଜନାଥ ସ୍ମରଣ କରିଥିଲେ। କହିଥିଲେ ଯେ ଏପର୍ଯ୍ୟନ୍ତ ଜମ୍ମୁ-କାସ୍ମୀରରେ ସ୍ୱାଧୀନତାର ସ୍ଲୋଗାନ ଦିଆଯାଉଥିଲା।  ଲୋକେ ପାକିସ୍ତାନ ଓ ଆଇଏସ ପତାକା ଉଡାଉଥିଲେ। ଏବେ ସାରା ରାଜ୍ୟରେ କେବଳ ତ୍ରିରଙ୍ଗା ଉଡିବ ବୋଲି ରାଜନାଥ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.