CDSଙ୍କ ହେଲିକପ୍ଟର ଦୁର୍ଘଟଣାର ଆରମ୍ଭ ହେଲା ଯାଞ୍ଚ,ରାଜନାଥ କହିଲେ-ତଦନ୍ତରେ ସାମିଲ ହୋଇଛନ୍ତି ୩ ସେନାର ଟିମ୍

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୯।୧୨:  ତାମିଲନାଡୁ କୁନ୍ନୁରରେ ବୁଧବାର ହୋଇଥିବା ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ)ଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସଂସଦର ଉଭୟ ଗୃହକୁ ଏହି ସୂଚନା ଦେଇଛନ୍ତି। ଏୟାରମାର୍ଶଲ ମାନବେନ୍ଦ୍ର ସିଂହଙ୍କ ନେତୃତ୍ୱେ ୩ ସେନାର ଟିମ୍‌ ଏହି ଯାଞ୍ଚ କରୁଥିବା ରାଜନାଥ ଗୃହକୁ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଏହି ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ, ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏବେ ୱିଲିଂଟନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି। ବରୁଣଙ୍କ ଜୀବନ ବଞ୍ଚାଇବା ଲାଗି ସବୁମନ୍ତେ ଉଦ୍ୟମ କରାଯାଉଥିବା ରାଜନାଥ ସଂସଦକୁ କହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସେନା ଅଧିକାରୀଙ୍କ ସୂଚନା ମଧ୍ୟ ରାଜନାଥ ଗୃହକୁ ଦେଇଛନ୍ତି।

{"id":556959,"width":841,"height":421,"sizeSlug":"full","linkDestination":"none"}

ଏଥିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସିଡିଏସଙ୍କ ସୁରକ୍ଷା ପରାମର୍ଶଦାତା ବ୍ରିଗେଡିୟର ଲଖବିନ୍ଦର ସିଂ ଲିଡ୍ଡର, ସିଡିଏସଙ୍କ ସୈନ୍ୟ ପରାମର୍ଶଦାତା ତଥା ଷ୍ଟାଫ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ୱିଙ୍ଗ କମାଣ୍ଡର ପ୍ରତୀକ ସିଂହ ଚୌହାନ. ସ୍କ୍ୱାଡ୍ରନ ଲିଡର କୂଲଦୀପ ସିଂହ, ଜୁନିୟର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସ, ଜୁନିୟର ଅଫିସର ଅରକ୍କଲ ପ୍ରଦୀପ, ହାବିଲଦାର ସତପାଲ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍ସ ନାୟକ ବିବେକ କୁମାର ଓ ବୀର ସାଇ ତେଜା ପ୍ରାଣ ହରାଇଥିବା ରାଜନାଥ କହିଛନ୍ତି।

ଦିବଙ୍ଗତ ସୈନ୍ୟ କର୍ମଚାରୀଙ୍କ ପାର୍ଥୀବ ଶରୀର ଗୁରୁବାର  ସନ୍ଧ୍ୟାସୁଦ୍ଧା ବାୟୁସେନା ବିମାନରେ ଦିଲ୍ଲୀ ପହଞ୍ଚିବ ବୋଲି କହିଛନ୍ତି। ଜେନେରାଲ ରାୱତଙ୍କ ସମେତ ଅନ୍ୟ ସୈନ୍ୟ କର୍ମଚାରୀଙ୍କ ଅନ୍ତ୍ୟେଷ୍ଟି ଉଚିତ ମର୍ଯ୍ୟଦାର ସହ କରାଯିବ ବୋଲି ରାଜନାଥ ଗୃହକୁ ଆଶ୍ୱସ୍ଥ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.