ବିଜେଡ଼ିରେ ମିଶିଲେ ବିଜେପି ଛାଡିଥିବା ରାଜକିଶୋର ଦାସ
25/03/2019 at 6:39 PM

ଭୁବନେଶ୍ବର ୨୫/୩: ବିଜେଡ଼ିରେ ମିଶିଲେ ରାଜକିଶୋର ଦାସ। ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ମିଶିଛନ୍ତି। ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେଡ଼ିରେ ମିଶିଛନ୍ତି। ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମୋରଡା ବିଧାନସଭା ଆସନ ପାଇଁ ଆଶାୟୀ ଥିବା ରାଜକିଶୋର ବିଜେପି ଛାଡିଥିଲେ।
ତାଙ୍କୁ ଟିକେଟ୍ ନମିଳିବାରୁ ସେ ବିଜେପି ଛାଡିଥିଲେ । ବିଜେପି ଛାଡିବା ପରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଦୀର୍ଘ ଦିନ ହେଲା ବିଜେପିରେ ଥାଇ ପୁରା ମୟୁରଭଞ୍ଜ ଜିଲ୍ଲାରେ ବିଜେପିକୁ ସେ ସୁଦୃଢ କରିଥିଲେ। ଦଳ ତାଙ୍କ ପ୍ରତି ଘୋର ଅନ୍ୟାୟ କରିଥିବାରୁ ସେ ବିଜେପି ଛାଡୁଥିବା କହିଥିଲେ ରାଜକିଶୋର ।
ରାଜକିଶୋର ଦଳ ଛାଡିବା ପରେ ସାରା ମୟୁରଭଞ୍ଜ ଜିଲ୍ଲାରେ ବିଜେପି ପ୍ରତି ବଡ ବୁମେଂରା ହେବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେ ବିଜେଡ଼ିରେ ଯୋଗ ଦେବାପରେ ମୋରଡାରୁ ବିଜେଡି ଟିକେଟ ମିଳିପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ରାଜକିଶୋର ୨୦୦୪ ମସିହାରେ ବିଜେପି ପ୍ରାର୍ଥୀଭାବେ ମୟୂରଭଂଜ ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ସେହିଭଳି ୨୦୧୪ ମସିହାରେ ସେ ମୋରଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ବିଜେପି ରାଜ୍ୟ କାର୍ୟ୍ୟାଳୟର ସମ୍ପାଦକ ଭାବେ ସେ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଥିଲେ । ସେ ମଧ୍ୟ ବିଜେପିର ଉପ ସଭାପତି ଥିଲେ ।
