ପାରୋଲରେ ୧ ମାସ ନିମନ୍ତେ ମୁକ୍ତ ହେଲେ ରାଜୀବ ହତ୍ୟାକାଣ୍ଡର ଦୋଷୀ ନଳିନୀ ଶ୍ରୀହରନ, କୋର୍ଟ ରଖିଛନ୍ତି ଏପରି ସର୍ତ୍ତ

Published By : Prameya-News7 Bureau | July 25, 2019 IST

ଭେଲ୍ଲୋର ୨୫।୭:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ନଳିନୀ ଶ୍ରୀହରନ ଗୁରୁବାର ପାରୋଲରେ ମୁକ୍ତ ହୋଇଛନ୍ତି। ଝିଅ ବାହାଘର ପ୍ରସ୍ତୁତି ନିମନ୍ତେ କୋର୍ଟ ନଳିନୀଙ୍କୁ ୧ ମାସ ନିମନ୍ତେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ସେହି ଅନୁସାରେ ଭେଲୋର କେନ୍ଦ୍ରୀୟ କାରାଗାରରୁ ତାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ମୁକ୍ତ କରାଯାଇଛି। ନଳିନୀ ଜେଲରେ ବନ୍ଦୀ ଥିବା ବେଳେ ଝିଅ ହରିଥ୍ରାକୁ ଜନ୍ମ ଦେଇଥିଲେ। ତେବେ ହରିଥ୍ରା ଏବେ ବ୍ରିଟେନରେ ରହୁଛି।

{"id":137221,"width":580,"height":428}

ମାଡ୍ରାସ ହାଇକୋର୍ଟ ଜୁଲାଇ ୫ ତାରିଖ ଦିନ ନଳିନୀଙ୍କ ପାରୋଲ ନିବେଦନରେ ମୋହର ମାରିଥିଲେ। ସେ ଝିଅର ବିବାହ ପ୍ରସ୍ତୁତି ନିମନ୍ତେ ୬ ମାସ ପାରୋଲ ପାଇଁ ନିବେଦନ କରିଥିବା ବେଳେ କୋର୍ଟ ତାଙ୍କୁ କେବଳ ୧ମାସ ମଞ୍ଜୁର କରିଥିବା ବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଯେଉଁଥିରେ ତାଙ୍କୁ ଭେଲୋର ବାହାରକୁ ନ ଯିବାଲାଗି କୋର୍ଟ କଡାକଟକଣା ଜାରି କରିଥିବା ବେଳେ ପାରୋଲ ସମୟରେ କୌଣସି ରାଜନେତା ଓ ଗଣମାଧ୍ୟମକୁ ଯେପରି ନ ଭେଟନ୍ତି ସେଥିପାଇଁ ମଧ୍ୟ ସତର୍କ କରାଇ ଦେଇଛନ୍ତି।  ସେହିପରି ପାରୋଲ ସମୟରେ ନଳିନୀଙ୍କ ଏସ୍କର୍ଟ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କୁ ବହନ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

{"id":137210}

ଏହାକୁ ମିସାଇ ନଳିନୀ ଦ୍ବିତୀୟବାର ଜେଲରୁ ପାରୋଲରେ ମୁକ୍ତ ହୋଇଛନ୍ତି। ଏହା ପୂର୍ବରୁ  ପିତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ଗୋଟିଏ ଦିନ ପାରୋଲରେ ଜେଲରୁ ମୁକୁଳିଥିଲେ।  ୧୯୯୧ ମସିହା ମେ ୨୧ ତାରିଖ ଦିନ ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମ୍ବୁଦୂରରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଦେଶରେ ଏଲଟିଟିଇ ଆତଙ୍କବାଦୀଙ୍କର ଏହା ଥିଲା ପ୍ରଥମ ଆତ୍ମଘାତୀ ବିସ୍ଫୋରଣ ଯେଉଁଥିରେ ନିଜେ ଆକ୍ରମଣକାରୀ ମଧ୍ୟ ପ୍ରାଣ ହରାଇଥିଲା।

{"id":137218,"width":583,"height":269}

ମାମଲାର ତଦନ୍ତରେ ଭାରତରେ ଏଲଟିଟିଇ ସଞ୍ଚାଳିତ ସଙ୍ଗଠନର ପେରାରୀ ଭଲ୍ଲନ, ନଳିନୀ, ମୁରୁଗନ, ଶନ୍ତନ, ରବିଚନ୍ଦ୍ରନ, ରାଜକୁମାର ଓ ରବର୍ଟ ପାୟସ ଆଦି ୭ ଜଣ ଗିରଫ ହୋଇଥିଲେ । କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗିରଫ ଠାରୁ ନଳିନୀ ଓ ତାଙ୍କ ସାଥୀମାନେ ଗତ ୨୮ ବର୍ଷ ହେଲା ଜେଲରେ ବନ୍ଦୀ ଅଛନ୍ତି।

{"id":137222}

ପାରୋଲ ନିମନ୍ତେ ନିଜେ ନଳିନୀ ଆବେଦନ କରିବା ସହ କୋର୍ଟରେ ନିଜ ପାଇଁ ଓକିଲାତି ମଧ୍ୟ କରିଥିଲେ। ଭାରତୀୟ ଆଇନ ଅନୁସାରେ ୨ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ କୌଣସି ବନ୍ଦୀ ୧ ମାସ ଛୁଟିର ହକଦାର ହୋଇପାରୁଛନ୍ତି। ତେବେ ଗତ ୨୮ ବର୍ଷ ହେଲା ବନ୍ଦୀ ଥିଲେ ମଧ୍ୟ ତାଙ୍କୁ କେବଳ ଥରଟିଏ ଓ ତାହାବି ଦିନକ ପାଇଁ ଜେଲରୁ ମୁକ୍ତ କରାଯାଇଥିଲା ବୋଲି ନଳିନୀ ଯୁକ୍ତି କରିଥିଲେ । ଏଣୁ ତାଙ୍କୁ ଲଗାତାର  ୬ମାସ ପାରୋଲରେ ଜେଲରୁ ମୁକ୍ତ କରିବା ଲାଗି ନଳିନୀ ଦାବି କରିଥିବା ବେଳେ କୋର୍ଟ ମାତ୍ର ୩୦ ଦିନ ନମନ୍ତେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.