ରାଜୀବ ହତ୍ୟାକାଣ୍ଡର ଦୋଷୀ ନଳିନୀ ଜେଲରେ ଆରମ୍ଭ କଲେ ଅନଶନ, ଜାଣନ୍ତୁ କ’ଣ ତାଙ୍କର ଦାବି
26/10/2019 at 4:47 PM

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଦୋଷୀ ନଳିନୀ ଶନିବାର ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଏଥିଲାଗି ସକାଳେ ସେ ଜଳଖିଆ ଖାଇନଥିବା ବେଳେ ମଧ୍ୟାହ୍ନ ଭୋଜନ ମଧ୍ୟ ଗ୍ରହଣ କରିବାକୁ ଯାଇନାହାନ୍ତି। ଗତ ୨୮ ବର୍ଷ ହେଲା ନଳିନୀ ତାଙ୍କ ସ୍ୱାମୀଙ୍କ ସହ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଏହି ସମୟରେ ସେ ନିଜ ଝିଅକୁ ବି ଭେଟିବାର କେବେ ସୁଯୋଗ ପାଇନାହାନ୍ତି। ଏଥିଲାଗି ସେମାନେ ଅନେକ ପିଟିସନ ମଧ୍ୟ ଦାୟର କରିଛନ୍ତି, ହେଲେ କାହାର ସନ୍ତୋଷଜନକ ଉତ୍ତର ସେମାନଙ୍କୁ ମିଳିନଥିବା ନଳିନୀ କହିଛନ୍ତି।

ରାଜୀବ ହତ୍ୟାମାମଲାର ରାୟ ପ୍ରକାଶ ପୂର୍ବରୁ ହତ୍ୟାକାଣ୍ଡ ସହ ଜଡିତ ନଳିନୀ ଓ ଅନ୍ୟମାନେ ୧୯୯୧ ମସିହାରୁ ଭେଲ୍ଲୋର ଜେଲର ଚାରିକାନ୍ଥରେ ବନ୍ଦୀ ଜୀବନ ବିତାଉଛନ୍ତି। ତେବେ ନଳିନୀ ଓ ତାଙ୍କ ସ୍ୱାମୀ ବି. ଶ୍ରୀହରନ ଜେଲରେ ବନ୍ଦୀ ଥିବା ବେଳେ ତାଙ୍କ ଝିଅର ଦେଖାଶୁଣା ଶ୍ରୀହରନଙ୍କ ପିତା କରୁଥିଲେ। ଏବେ ସେ ବାର୍ଦ୍ଧକ୍ୟଗ୍ରସ୍ତ ହୋଇଥିବା ବେଳେ ଗତ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ଏଣୁ ନଳିନୀ ୧ ମାସ ପାରୋଲ ନିବେଦନ କରିଛନ୍ତି।

ରାଜୀବ ହତ୍ୟାକାଣ୍ଡ ଦୋଷୀଙ୍କ ମଧ୍ୟରେ ଏ.ଜି.ପେରାରିବଲନ,ଟି.ସୂତେନ୍ଦ୍ର ରାଜରାଜା ଓର୍ଫ ସନ୍ତନ, ଜୟକୁମାର, ରବର୍ଟ ପାୟସ୍, ରବି ଚନ୍ଦ୍ରନ, ବି.ଶ୍ରୀହରନ ଓର୍ରଫ ମୁର୍ଗନ ଓ ତାଙ୍କ ପତ୍ନୀ ନଳିନୀ ଶ୍ରୀହରନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେମାନେ ଜେଲରେ ଆଜୀବନ ସଜା କାଟୁଛନ୍ତି। ୧୯୯୧ ମସିହାରେ ଶ୍ରୀଲଙ୍କା ଏଲଟିଟିଇ ଭାରତରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏକ ଜନସମାବେଶରେ ଆତ୍ମଘାତୀ ବିସ୍ଫେରଣରେ ରାଜୀବଙ୍କୁ ହତ୍ୟା କରାଯାଇଥିଲା। ତେବେ ୨୦୦୯ ମସିହାରେ ଶ୍ରୀଲଙ୍କାରୁ ଏଲଟିଟିଇର ସଫେଇ ହୋଇସାରିଥିବା ବେଳେ ରାଜୀବ ହତ୍ୟାକାରୀମାନେ ଏବେବି ଜେଲରେ ସଢୁଛନ୍ତି।

ଗତ ମାସରେ ନଳିନୀ ଝିଅର ବିବାହ ପ୍ରସ୍ତୁତି ଲାଗି କୋର୍ଟଙ୍କୁ ୬ ମାସ ପାରୋଲ ନିବେଦନ କରିଥିଲେ। ଏଥିଲାଗି ସେ ନିଜେ କୋର୍ଟରେ ତର୍କ ଉପସ୍ଥାପନ ବି କରିଥିଲେ। କୋର୍ଟ ତାଙ୍କୁଗୋଟିଏ ମାସ ପାରୋଲ ମଞ୍ଜୁର କରିଥିବା ବେଳେ ପରେ ଅଧିକ ୩ ସପ୍ତାହ ସମ୍ପ୍ରସାରଣ କରିଥିଲେ। ହେଲେ ଏବେ ନଳିନୀ ଶଶୁରଙ୍କ ଅସୁସ୍ଥ ବାହାନା କରି ଆହୁରି ୧ ମାସ ପାରୋଲ ନିବେଦନ କରିଛନ୍ତି।