ପରିବର୍ତ୍ତନର ନାରା ଦେଲେ ରଜ୍ନୀକାନ୍ତ, କହିଲେ- ଆମେ ସବୁ କିଛି ବଦଳାଇଦେବୁ, ଘଟିବ ବିସ୍ମୟ, ଲୋକେ ଦେବେ କ୍ଷମତା: ଜାନୁଆରୀରେ ଦଳ ଘୋଷଣା କରିବେ ତାମିଲ୍ ସୁପରଷ୍ଟାର
3/12/2020 at 7:36 PM

ଚେନ୍ନାଇ ୦୩/୧୨: ଆସୁଛନ୍ତି ତାମିଲ୍ ସୁପରଷ୍ଟାର ରଜନୀକାନ୍ତ। ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧୁମ୍ ମଚାଇବା ପରେ ଏବେ ରାଜନୀତିରେ ଚହଳ ପକାଇବାକୁ ଯାଉଛି ରଜନୀକାନ୍ତଙ୍କ ଦଳ। ସୁପରଷ୍ଟାରଙ୍କ ପଲିଟିକାଲ୍ ଏଣ୍ଟ୍ରି ଏବେ ଚର୍ଚ୍ଚା ସୃଷ୍ଟି କରିଛି। ରାଜନୀତିରେ ପାଦ ଦେବାକୁ ଘୋଷଣା କରିଛନ୍ତି ତଲାଇବା ରଜନୀକାନ୍ତ। ଟ୍ବିଟ୍ କରି ଜାନୁଆରୀରେ ରାଜନୈତିକ ଦଳ ଘୋଷଣା କରିବାକୁ ବି କହିଛନ୍ତି। ଆମେ ଆସିବୁ, ଲୋକେ ଆମକୁ କ୍ଷମତା ଦେବେ। ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଭେଟି ଦେବୁ ଏକ ଦୁର୍ନୀତି ମୁକ୍ତ ତଥା ନିର୍ମଳ ଭାବାମୂର୍ତ୍ତି ସମ୍ପନ୍ନ ସରକାର। ଆଗକୁ ଘଟିଚାଲିବ ବିସ୍ମୟ। ଏଭଳି କିଛି ଟ୍ବିଟ୍ କରି ନିଜର ପଲିଟିକାଲ୍ ଏଣ୍ଟ୍ରି ସସ୍ପେନ୍ସ ଉପରୁ ପରଦା ହଟାଇଛନ୍ତି ତାମିଲ୍ ସୁପରଷ୍ଟାର।
ଜାନୁଆରୀରେ ନୂଆ ଦଳ ଗଠନ ନେଇ ସଙ୍କେତ ଦେବା ସହ ଏନେଇ ଡିସେମ୍ବର ୩୧ରେ ଘୋଷଣା କରାଯିବ ବୋଲି ଟ୍ବିଟ୍ କରି କହିଛନ୍ତି ରଜନୀକାନ୍ତ। ସୋମବାର ରଜନୀ ମକ୍କଲ ମନ୍ଦରମର ଜିଲ୍ଲା ମୁଖ୍ୟଙ୍କ ସହ ମାରାଥନ ଚର୍ଚ୍ଚା ପରେ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଲଗାତର ଦୁଇ ଦିନ ଧରି ନିଜର ସହଯୋଗୀ ଓ ବନ୍ଧୁମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି।
ଟ୍ବିଟ୍ରରେ ବଡ଼ ଘୋଷଣା କରିବା ପରେ ମିଡିଆକୁ ସାକ୍ଷାତକାର ଦେଇଛନ୍ତି ରଜନୀକାନ୍ତ। ଚେନ୍ନାଇ ସ୍ଥିତ ପୋଜ୍ ଗାର୍ଡେନ ବାସଭବନରେ ରଜନୀକାନ୍ତ କହିଛନ୍ତି, ତାମିଲନାଡୁ ବିଧାନସଭା ନିର୍ବାଚନ ବେଳେ ମୁଁ ଆସିବି। ରାଜ୍ୟବ୍ୟାପୀ କ୍ୟାମ୍ପେନ କରିବି। କିନ୍ତୁ କରୋନା ପ୍ରତିବନ୍ଧ ସାଜିଛି।
ଯଦି ଏବେ ନୁହେଁ କେବେ ବି ନୁହେଁ। ଆମେ ସବୁ କିଛି ବଦଳାଇଦବୁ। ସରକାରଠୁ ରାଜନୀତି ସବୁ କିଛି ପରିବର୍ତ୍ତନ କରିଦେବୁ। ପରିବର୍ତ୍ତନର ମୁଁ ଏକ ଛୋଟ ଯନ୍ତ୍ର। ଲୋକେ ହିଁ ପରିବର୍ତ୍ତନର ମୁଖ୍ୟ ବୋଲି କହିଛନ୍ତି ରଜନୀକାନ୍ତ। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଯଦି ମୁଁ ଜିତିବି ତାହା ଲୋକଙ୍କର, ହାରିଲେ ମୋର। ଯଦି ତାମିଲନାଡୁ ଲୋକଙ୍କ ପାଇଁ କିଛି କରିପାରିବି ମୋତେ ଖୁସି ଲାଗିବ ବୋଲି ସେ କହିଛନ୍ତି।
ସବୁକିଛି ପରିବର୍ତ୍ତନ କରିବୁ। ଏଥି ପାଇଁ ମୁଁ କାର୍ଯ୍ୟ ଆରମ୍ଭ କରିସାରିଛି। ତାମିଲନାଡୁ ପରିବର୍ତ୍ତନର ସମୟ ଆସିଛି। ମୁଁ ମୋ ନିଷ୍ପତ୍ତିରୁ କେବେ ବି ଓହରି ଯାଇପାରିବି ନାହିଁ ବୋଲି ତାମିଲ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି।