ଗାନ୍ଧୀ ପରିବାରଙ୍କ ସହ କ୍ୟାପ୍ଟେନଙ୍କ ସମ୍ପର୍କ କେତେବେଳେ ମଧୁର, କେତେବେଳ କଷା...ରାଜୀବଙ୍କ ସହ ଡୁନ୍ ସ୍କୁଲରେ ପଢୁଥିଲେ ଅମରିନ୍ଦର

Published By : Prameya-News7 Bureau | September 20, 2021 IST

ଚଣ୍ଡିଗଡ, ୨୦/୦୯: କ୍ୟାପ୍ଟେନ୍ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ସ୍ଥାନରେ ଦଳ ଚରଣଜୀତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଚରଣଜୀତ ସୋମବାର ଶପଥପାଠ କରିଛନ୍ତି । ତେବେ ଅମରିନ୍ଦର ପଞ୍ଜାବ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ । ଗାନ୍ଧୀ ପରିବାର ସହ ମଧ୍ୟ ତାଙ୍କର ଥିଲା ଘନିଷ୍ଠ ସମ୍ପର୍କ ।

ଦୀର୍ଘବର୍ଷ ଧରି ଗାନ୍ଧୀ ପରିବାର ସହ ରହିଛି କ୍ୟାପ୍ଟେନଙ୍କ ସମ୍ପର୍କ । ରାଜୀବ ଗାନ୍ଧୀ ଓ କ୍ୟାପ୍ଟେନ୍ ଥିଲେ ଦୁଇ ସାଙ୍ଗ । କ୍ୟାପ୍ଟେନ୍ ପଟିଆଲା ରାଜପରିବାରର ଥିଲେ ।  ଉଭୟ ଡେରାଡୁନର ପ୍ରସିଦ୍ଧ ଡୁନ୍ ସ୍କୁଲରେ ପାଠ ପଢିଥିଲେ  । ସେହି ସମୟରେ ରାଜୀବ ବାନ୍ଧୀଙ୍କ ଜେଜେବାପା ଜବାହାରଲାଲ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ବନ୍ଧୁତା ଏପରି ଥିଲା ଯେ, ଉଭୟ ଛୁଟିରେ ମଧ୍ୟ ପରସ୍ପରକୁ ଦେଖା କରୁଥିଲେ । ପରେ କ୍ୟାପ୍ଟେନ୍ ସେନାରେ ଭର୍ତ୍ତି ହୋଇଥିଲେ । ଏହାସହ ରାଜୀବ ପାଇଲଟ୍ ହେବା ଲକ୍ଷ୍ୟରେ ଲଣ୍ଡନ ଚାଲିଯାଇଥିଲେ ।

୧୯୭୭ରେ କ୍ୟାପ୍ଟେନଙ୍କୁ ରାଜୀବ ରାଜନୀତିରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । କଂଗ୍ରେସରେ ଯୋଗ ଦେଇଥିଲେ ମଧ୍ୟ ଅକାଳୀ ଦଳର ଗୁରୁଚରଣ ସିଂ ତୋହରାଙ୍କ ବିରୋଧରେ ଲଢି ପରାସ୍ତ ହୋଇଥିଲେ କ୍ୟାପ୍ଟେନ୍ । କିନ୍ତୁ ୧୯୮୦ରେ ପ୍ରଥମ ଥର ବିଜୟର ସ୍ୱାଦ ଚାଖିଥିଲେ ।

୧୯୮୪ରେ ଅମରିନ୍ଦର ଅପରେସନ୍ ବ୍ଲୁ ଷ୍ଟାର୍ ପରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଥିଲେ । ସେ ଅକାଳୀ ଦଳରେ ଯୋଗ ଦେଇଥିଲେ ।୧୯୯୧ରେ ଅକାଳୀ ଦଳ ପନ୍ଥିକ ପାର୍ଟି ଗଠନ କରିଥିଲେ କ୍ୟାପ୍ଟେନ୍ । ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଅମରିନ୍ଦର ପୁଣି କଂଗ୍ରେସରେ ମିଶିବା ସହ ନିଜ ଦଳକୁ କଂଗ୍ରେସରେ ବିଲୟ ଘଟାଇଥିଲେ । ଏହିଠୁ ଆରମ୍ଭ ହୋଇଥିଲା କଂଗ୍ରେସରେ ଅମରିନ୍ଦରଙ୍କ ଦ୍ୱିତୀୟ ଇନିଂସ ।

୧୯୯୯ରେ ପଞ୍ଜାବ କଂଗ୍ରେସର ସଭାପତି ହୋଇଥିଲେ ଅମରିନ୍ଦର । ଦଳରେ ତାଙ୍କର ଦବଦବା ବଢିଥିଲା । ହେଲେ ଜାତୀୟ ରାଜନେତା ଓ ତାଙ୍କ ମଧ୍ୟରେ ଅବିଶ୍ୱାସ ମଧ୍ୟ ବଢିବାରେ ଲାଗିଥିଲା ।୨୦୦୪ରେ ରାହୁଲ କଂଗ୍ରେସର ସାଂସଦ ଓ ଉପାଧ୍ୟକ୍ଷ ହେବା ପରେ ଅମରିନ୍ଦରଙ୍କ ସହ ସମ୍ପର୍କ ଖରାପ ହେବାରେ ଲାଗିଥିଲା । ୨୦୧୫ରେ ଏହା ଚରମ ସ୍ଥିତିରେ ପହଁଚିଥିଲା ।

୨୦୦୭ ଓ ୨୦୧୨ରେ ପଞ୍ଜାବରେ କଂଗ୍ରେସ ହାରିବା ପରେ କ୍ୟାପ୍ଟେନ୍ ବ୍ୟାକଫୁଟରେ ଥିଲେ । ସୋନିଆ ଓ ରାହୁଲଙ୍କ ସହ ତାଙ୍କ ସମ୍ପର୍କରେ ଶୀଥିଳତା ଆସିଯାଇଥିଲା। କିନ୍ତୁ କ୍ୟାପ୍ଟେନ୍ ବିଜେପିର ଶକ୍ତିଶାଳୀ ନେତା ସ୍ୱର୍ଗତଃ ଅରୁଣ ଜେଟଲୀଙ୍କୁ ହରାଇ ଗାନ୍ଧୀ ପରିବାରର ପୁଣି ନିକଟତର ହୋଇପାରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଥିଲା । ୨୦୧୫ରେ ପୁଣି ରାହୁଲ ଓ କ୍ୟାପ୍ଟେନଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଥିଲା । ଏହାପରେ କ୍ୟାପ୍ଟେନ୍ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାରେ ସଫଳ ହୋଇଥିଲେ । ନବଜ୍ୟୋତ ସିଂ ସିଦ୍ଧୁ କଂଗ୍ରେସରେ ମିଶିବା ପରେ କଂଗ୍ରେସରେ କ୍ୟାପ୍ଟେନଙ୍କ ଦବଦବା କମିଥିଲା । ବିଭିନ୍ନ ସମୟରେ ଉଭୟ ନେତାଙ୍କ ମଧ୍ୟରେ କଥା କଟାକଟି ଜାରି ରହିଥିଲା ।

ଶେଷରେ ଗାନ୍ଧୀ ପରିବାର ସହ ତାଙ୍କର ସମ୍ପର୍କରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । ଇସ୍ତଫା ଦେବା ପରେ ସୋନିଆ ଗାନ୍ଧୀ ତାଙ୍କୁ ପତ୍ର ଲେଖି ଦୁଃଖିତ ବୋଲି କହିଥିଲେ ।ଭବିଷ୍ୟତରେ କ୍ୟାପ୍ଟେନଙ୍କ ରଣନୀତି କଣ ରହିବ ତାହା ସ୍ଥିର ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.