ପାଇଲଟଙ୍କ ସହ ରାହୁଲଙ୍କ ଘନଘନ ବୈଠକ, ବଦଳିବେ କି ଗେହଲଟ୍ ? ବିଜେପି ଭଳି କଂଗ୍ରେସର ଚେଞ୍ଜ୍ ପଲିଟିକ୍ସ

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ, ୨୧।୦୯ :   ପଞ୍ଜାବରେ କଂଗ୍ରେସର ଗୋଟିଚାଳନା ସଫଳ ହେଲା ପରେ ଏବେ ରାଜସ୍ଥାନରେ ରାଜନୀତିକ ଗତିବିଧି ଜୋର୍ ଧରିଛି । ଶୁକ୍ରବାର ରାହୁଲ ଗାନ୍ଧୀ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ସୂତ୍ରାନୁସାରେ, ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟରେ କଂଗ୍ରେସର ସ୍ଥିତି ଓ ୨୦୨୪ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କ୍ୟାପ୍ଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପୂର୍ବରୁ ସଚିନ ଓ ରାହୁଲଙ୍କ ମଧ୍ୟରେ ବୈଠକ ବସିଥିଲା । ଏହା ହେଉଛି ଉଭୟ ନେତାଙ୍କ ମଧ୍ୟରେ ଏପରି ଭାବେ ବସିଥିବା ପ୍ରଥମ ବୈଠକ ।

ପାଇଲଟ ଜୁଲାଇ ସୁଦ୍ଧା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଥିଲେ ।ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତାଙ୍କର ବିବାଦ ବଢିବା ପରେ ଦୁଇଟି ଯାକ ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା । ରାହୁଲଙ୍କ ସହ ବସିଥିବା ବୈଠକରେ ସଚିନଙ୍କ ହାତରେ କ୍ଷମତା ଡୋରି ଦେବାକୁ ଚର୍ଚ୍ଚା ହୋଇଛି ବୋଲି କିଛି ସମର୍ଥକ ସୂଚନା ଦେଇଛନ୍ତି । କିନ୍ତୁ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏବେ ରାଜ୍ୟରେ ଦଳରେ କୌଣସି ବଡ ପରିବର୍ତ୍ତନ ହେବ ନାହିଁ । ଦଳ ଏବେ ସମ୍ପୂର୍ଣ୍ଣ ଭାବେ ଉତ୍ତର ପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଉପରେ ଫୋକସ କରୁଛି । ଏହି ସବୁ ରାଜ୍ୟରେ ୨୦୨୨ରେ ନିର୍ବାଚନ ଅୁଷ୍ଠିତ ହେବ ।

ତେବେ ରାହୁଲଙ୍କ ସହ ବୈଠକ ନେଇ ସଚିନ ପାଇଲଟ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । କଂଗ୍ରେସର ଅନ୍ୟଜଣେ ବରିଷ୍ଠ ନେତା କହିଛନ୍ତି ଯେ, ରାହୁଲ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ ଚାହୁଁଛନ୍ତି । ଏପରି ହେଲେ ପାଇଲଟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ସୂଚନାଯୋଗ୍ୟ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ କଂଗ୍ରେସ ସିଧାସଳଖ ବିଜେପି ସହ ମୁକାବିଲା କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.