ସାହାରପଡାରେ ଗଡିଲା ରାଜସ୍ବ ରଥ, ଗାଁ ଗାଁ ବୁଲି ଲୋକଙ୍କୁ ଯୋଗାଇବ ସେବା

Published By : Prameya-News7 Bureau | May 19, 2021 IST

ପାଟଣା ୧୯।୫: କେନ୍ଦୁଝର ଜିଲ୍ଲା ସାହାରପଡା ତହସିଲ ପକ୍ଷରୁ ରାଜସ୍ବ ରଥ ଗଡ଼ିଛି । ନିର୍ଦ୍ଧାରିତ ସମୟ ଭିତରେ ଲୋକେ ବିଭାଗର ସମସ୍ତ ପ୍ରକାର ସେବା ପାଇ ପାରିବେ ।ରାଜ୍ୟରେ କୋଭିଡ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ତଥା କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ୍ ପରିଚାଳନା ନିର୍ଦ୍ଧେଶାବଳୀ ଅନୁଯାୟୀ ରାଜସ୍ବ କାର୍ଯ୍ୟାଳୟରେ ଜନ ସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି । କୋଭିଡ୍ ୧୯ ମହାମାରୀ ସମୟରେ ନାଗରିକମାନଙ୍କୁ ନିରବଚ୍ଛିନ୍ନ ଭାବରେ ରାଜସ୍ବ ସେବା ଯୋଗାଇଦେବା ପାଇଁ ସାହାରପଡା  ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ବ ରଥ ମାଧ୍ୟମରେ ସେବା ପ୍ରଦାନ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ସାହାରପଡା ତହସିଲ ପକ୍ଷରୁ ତାଲା ବନ୍ଦ ସମୟରେ ଲୋକେ ତାଙ୍କ ଘରେ ବସି ରାଜସ୍ବ ସେବା କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦେଇ ତହସିଲଦାର ବାବାଜୀ ଚରଣ ସିଂଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି ରଥ ତହସିଲର ବିଭିନ୍ନ ଆରଆଇ ସର୍କଲ ଓ ପ୍ରତି ଗ୍ରାମକୁ ପରିକ୍ରମା କରି ଲୋକମାନଙ୍କୁ ନିଜର ଆୟ ପ୍ରମାଣପତ୍ର, ଦାଖଲ ଖାରଜ ମାମଲା, ଜାତିଗତ ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ କରାଯିବ । ବୁଧବାର ପ୍ରଥମ ଦିନରେ ସାହାରପଡା ଓ ତେଣ୍ଡେରା  ଆରଆଇ ସର୍କଲରେ ୧୫  ଜଣଙ୍କୁ ଜମିପଟ୍ଟା, ବିବିଧ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସାହାରପଡା ତହସିଲର ବାବାଜୀ ଚରଣ ସିଂ ଅତିରିକ୍ତ ତହସିଲଦାର ତ୍ରିନାଥ ଦାସ, ସାହାରପଡା ରାଜସ୍ବ ନିରୀକ୍ଷକ ଶରତ କୁମାର ନାଏକ ତେଣ୍ଡେରା ରାଜସ୍ବ ନିରୀକ୍ଷକ ରଞ୍ଜିତା ନାଏକ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.